ରାଜ୍ୟରାଜନୀତିରେ ଜୀବନ
ରାଜ୍ୟରାଜନୀତିରେ ଜୀବନ
ଦିଲୀଠୁଁ ପଲ୍ଲୀ ଯାଏଁ
ରାଜ୍ୟ ରାଜନୀତି ଅଛି
ବେଶ ସରଗରମ
ଚକା ଛଉକାରେ ଚଳଚଞ୍ଚଳ
ସମ୍ବାଦ ଲାଗେ
ପୂରା ଗରମାଗରମ ।
ସାମ୍ପ୍ରତିକ ସମୟେ
ତଲଠୁଁ ଉପର ଯାଏଁ
ସବୁଠି ଚାଲେ
ଅର୍ଥ କ୍ଷମତାର
ବଳ କଷାକଷ
ସତ ମିଛର ଭଉଁରୀ
ଜାଲ ମଧ୍ୟେ ବଳି ପଡନ୍ତି
କରାଣ୍ଡି ଆଉ ଦଣ୍ଡିକିରି ମାଛ ।
ରାଜନୀତିଆ ଦଳଗୁଡିକ
କରି ପରସ୍ପରକୁ ଦୋଷାରୋପ
ନିଜକୁ ବୋଲାନ୍ତି ଶ୍ରେଷ୍ଠ
ଦୁନିଆଟାକୁ ଭୁଆଁ ବୁଲାଇ
ସତକୁ ମିଛ ମିଛକୁ ସତ
ପିଇଯା'ନ୍ତି ଅମୃତ ଆକଣ୍ଠ ।
ବାଃ ବାଃ ପାଇବାକୁ
ସୋସିଆଲ ମିଡ଼ିଆକୁ
ଦିଅନ୍ତି ଲମ୍ବା ଚଉଡା ମତ
ଜନତା ଜନାର୍ଦ୍ଦନ ଜାଣନ୍ତି
ବିରାଡ଼ି ବୈଷ୍ଣବଙ୍କ
କଥାରେ ଅଛି କେତେ ସତ ।
ଅନ୍ୟାୟ ଅନୀତି
ଅତ୍ୟାଚାର ସାଥେ ଅଛି
କେଳେଙ୍କାରୀ ଭ୍ରଷ୍ଟାଚାର
ଚୋରୀ ଗୁଣ୍ଡାରାଜ ମାଫିଆ
ସାଥେ ପୁଣି ଅଛି
କଳାଧନ କାରବାର ।
ବେଳୁବେଳ ଦୁର୍ନୀତିର
ଚେର ମାଡ଼ିମାଡ଼ି
ସବୁ ଗଲାଣି
ବେଳ ଥାଉଁ ଥାଉଁ
ଉପାୟ ନ କଲେ
ଭବିଷ୍ୟତ ଅନ୍ଧାର
ଦିଶିଲାଣି ।
ଲୋଭ, ଈର୍ଷା ଆଉ
ଅହଂ ସାଥେ
ବିଦ୍ୱେଷ ମନୋଭାବ
ପୁରିଅଛି ମନୁଷ୍ୟ ଉଦର
ସ୍ୱୟଂ ସ୍ୱାର୍ଥକୁ ମଣି
କରନ୍ତି ତୁଚ୍ଛା ରାଜନୀତି
ପୁଣି ଦେଖାନ୍ତି ସତେ
କେତେ ଚାତର ।
ବଞ୍ଚିବା ମରିବା
ସମାନ ଏଠି
ବେଳକାଳ ଯାହା ହେଲାଣି
ଜୀବନ ନୌକା
ଟଳମଳ ଏବେ
ଘୋର କଳିକାଳ ଆସିଗଲାଣି ।
