ବଦଳି ଯାଇଛି ଗାଁ
ବଦଳି ଯାଇଛି ଗାଁ
ବଦଳି ଯାଇଛି ଗାଁ ଟିକେ ମୋର
ନାହିଁ ଝାଟିମାଟି କି ଚାଳ ଛପର
ସବୁଠି ଖାଲି ଚୂନ ଲିପା ଛାତଘର
ଠାଏଠାଏ ଅଛି ଦୋକାନ ବଜାର ।
ଆସୁଥିଲି ଯେବେ ଗାଁ'କୁ
ରୁଣ୍ଡ ହେଉଥିଲେ ଘେରି ଚାରିପଟେ
ଦେଖନ୍ତି ଖାଲି ମୋ ମୁହଁକୁ
ଅମୁକେଇ ଝିଅ ଆସିଛି ଲୋ
ହୁରି ପଡ଼ିଯାଏ ଗାଁଟି ସାରା
ଝିଅ ଆସିଛି ଶାଶୁଘରୁ ଲୋ ।
ଲାଜେଇ ଲାଜେଇ ପକାଏ କହି
ଶାଶୁଘର ମୋର ବାପଘର ପରି
ଲାଗନ୍ତି ସଭିଏଁ ନିଜର ନିଜର
ଧନ୍ୟ ଧନ୍ୟ ବୋଲି କହନ୍ତି ମତେ
କେତେ ଦିଅଁ ଦେବତାଙ୍କୁ ପୂଜି
ଭଲ ଶାଶୁଘର ପାଇଛୁ ସତେ ।
ଏବେ ଆସିଲେ ସେଇ ଗାଁ କୁ ମୋର
ନାହିଁ ଆଉ ପୂର୍ବ ସ୍ନେହ ଆଦର
ସହରୀ ଢାଞ୍ଚାରେ ଦେଖନ୍ତି ସବୁ
ନ ଦେଖିଲା ପରି....
କଥା କୁହନ୍ତିନି କେହି କାହାକୁ ।
ପୁରୁଣା ଲୋକେ ନାହାଁନ୍ତି କେହି
ହରି ସାର କି ଗୋପୀ ମାଷ୍ଟ୍ରେ
ବିଦାୟ ନେଲେଣି କେବେଠୁ ଯାଇ
ଚକୁଳିଆ ପଣ୍ଡା ଆସନ୍ତି ନାହିଁ
କଣ୍ଢେଇ ନାଚ କି କେନ୍ଦେରା ଗୀତ
ଜମା ଆଉ ଶୁଭୁନାହିଁ ।
ଆସିଲେ ଗାଁ'କୁ ମନେ ପଡ଼ିଯାଏ ମୋର
ବାଲ୍ୟ କାଳର ସ୍ମୃତି ସବୁ
ମୂଷଳଧାରା ବରଷାରେ
କରି କାଗଜ ଦଙ୍ଗା ଭସାଉ
କାଦୁଅ ପଚପଚ ରାସ୍ତାରେ
ନାଚିନାଚି ଗୀତ ଗାଉଥାଉ ।
ଖାଇବା କଥା କହିବି କ'ଣ
ପଖାଳ ସାଙ୍ଗକୁ ଶାଗ ଖରଡା
ପୋଡ଼ା ଆଳୁ ସାଥେ ବଢ଼ି ଚୁରା
ଏସବୁ ଖାଇବା ଖାଇନି ଯିଏ
ତା' ମଜା ତ ଜମା ପାଇନି ସିଏ ।
ନଥାଉ ପଛକେ ଖାଇବା ବାସନା
ନରହୁ ପଛକେ ପ୍ରୀତି ବନ୍ଧନ
ତଥାପି ଅତୁଟ ରହୁ ମୋର
ଗାଁ ପ୍ରତି କୋଟି ସମ୍ମାନ ।
ଏବେତ ଯାଇଛି ସବୁ ବଦଳି
ଆଧୁନିକତା ସ୍ପର୍ଶ କରିଛି
କର୍ପୂର ସିନା ଉଡି ଯାଇଛି
ହେଲେ କପଡ଼ା ଖଣ୍ଡକ ପଡ଼ି ରହିଛି ।
ସେତେବେଳେ ଗାଁ ଥିଲା ମୋର
ଚିର ସୁନ୍ଦର ଆଉ ରୂପବତୀ
ଆଜି ବି ଅଛି ସେଇ ଗାଁ
ହେଲେ ମାଦକତା ନାହିଁ ସେମିତି ।