ଶ୍ରାବଣ ଆକାଶେ
ଶ୍ରାବଣ ଆକାଶେ
ସବୁକିଛି ହୁଏ ଓଲଟ ପାଲଟ
ଭଲ ନାହିଁ ଦୁନିଆର ପରିସ୍ଥିତି
ଶ୍ରାବଣ ଆକାଶେ ହୁଏନି ବରଷା
ହୁଏ ବୈଶାଖର ଝାଞ୍ଜି ଖରା ତାତି ।
ଜଳ ବିହୁନେ ଦୁନିଆଟା ସାରା
ଚାଷବାସ ସବୁ ଗଲାଣି ଉଜୁଡି
ଚାଷଜମି ସବୁ ଟାଙ୍ଗରା ହୋଇକି
ଆଁ କରି ଫାଟି ଗଲାଣି ବିଗିଡି ।
ବେଳକାଳ ଦେଖି କହି ହେଉନାହିଁ
କାହା ଭୟେ ଏ ବାରିଦଟା ଲୁଚିଛି
କେବେ ସେ ଆସି ଯିବ ବରଷି
ଚାତକ ପରି ଚାଷୀଟି ଚାହିଁ ବସିଛି ।
ନୟନୁ ଲୋତକ ପିଇଯାଇ ଓଠେ
ସୁନାର ଫସଲ ଫଳାଏ ସେ କ୍ଷେତେ
ଫଳିଲେ ଫସଲ ସିନା ଖାଇକି ବଞ୍ଚିବା
ନାହିଁତ ହା ହା କାର କରି ସଭିଏଁ ମରିବା
।
ଚାଷୀକୁଳ ଆଜି କାନ୍ଦିକାନ୍ଦି ଦେଖେ
ବିଲେ ଫାଟିଥିବା ମାଟିର ଚେହେରା
ବସି ହିଡ ପାଖେ ମୁଣ୍ଡେ ଦେଇ ହାତ
କେବେ କ୍ଷେତ ହବ ପାଣି କାଦୁଅ ଭରା ।
କ'ଣ ଘଟିବ କେତେବେଳେ ଯେ
ବାତ୍ୟା କି ମରୁଡି ହବ ନାହିଁ କିଛି କହି
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ବି ଯିବା ହିଁ ସହି ।
କିଏ ଆସି ତାକୁ ସୁଖ ଢାଳିଦବ
ଝାଉଁଳିଯାଏ ତା ନୀଳନୀଳ କ୍ଷେତ
ମେଘ ମଲ୍ହାର କେବେ ଆସି ଶୁଣାଇବ
ଶସ୍ୟଶ୍ୟାମଳାଭରା ସବୁଜ ସଙ୍ଗୀତ ।
ଦୁଃଖଭରା ଚାଷୀ ଜୀବନଟା
ବଡ଼ ହିନୀମାନିଆ
ଭୋକ ଉପାସରେ କଟେ
ଏଇଟା ତ ସବୁଦିନିଆ ।