ଜୀବନଗୀତିକା
ଜୀବନଗୀତିକା


ଲୁହର ହାଟରେ ଜୀବନ ବାଟରେ
ଏକା ମୁଁ ବାଟୋଇ,
ଖୁସିର ସଉଦା କେମିତି କରିବି
ବୁଦ୍ଧି ମୋ ହଜଇ।
ଅବିଶ୍ୱାସ ଫାଶେ ଛନ୍ଦିବାନ୍ଧି ହୋଇ
ଯାଇଛି ମୁଁ ହାରି ,
ଶିଥିଳ ହେଉଛି ସେନେହ ସିକୁଳି
ସଂପର୍କର ଡୋରି।
ମାୟା ମରୀଚିକା ପଛେ ଧାଇଁ ମୁହିଁ
ପଡିଛି ତ ଥକି,
କିଏ କାଚ ପୁଣି କିଏ ସେ କାଞ୍ଚନ
ପାରୁନି ପରଖି।
ଜୀଅନ୍ତା ଶବଟି ପରି ମୁଁ ବଞ୍ଚିଛି
କାନ୍ଦିବା ତ ମନା,
ମନର କୋହକୁ ଛାତିରେ ସାଇତି
ମିଛେ ହସେ ସିନା।
ଏନ୍ତୁଡି ନିଆଁରୁ &
nbsp; ଜୀବନ ଆରମ୍ଭ
ମଶାଣୀରେ ଶେଷ,
କୁଡିଆ ଘରକୁ ନିଅଁଟ ଆୟୁଷ
କି ହେବ ଉଆସ ।
କହିବି କାହାକୁ ଶୁଣିବ ବା କିଏ
ଦୁଃଖ ବ୍ୟାକରଣ,
ଅହରହ ସିନା ନିଜେ ମୁଁ ଘୋଷଇ
ଦେଇ ମନ ପ୍ରାଣ।
ନିଜ ଛାଇ ମୋତେ ଉପହାସ କରେ
କି ଦୋଷ ମୋର,
କପାଳଲିଖନ ଭୋଗି ଚାଲେ ସିନା
ହେଲିଣି ପଥର।
ହୃଦୟ କନ୍ଦରେ ଭକତି ଦୀପାଳି
ଜାଳି ବନ୍ଦେ ନିତି,
ଲୁହରେ ଭିଜଇ ଦୁଃଖ ନ ସରଇ
ପାହିଯାଏ ରାତି।
ନିୟତି ବିଧାନ କିପାଇଁ ଦାରୁଣ
ସରେନି କଷଣ,
ଜଟିଳ ଜୀବନ ଅଙ୍କ କଷି ଚାଲେ
ନାହିଁ ସମାଧାନ।