ପ୍ରେମ ସ୍ବର୍ଗୀୟ
ପ୍ରେମ ସ୍ବର୍ଗୀୟ
ମଧୁ ପ୍ରକୃତିର ତୁମେ ମନୋହର
ରଙ୍ଗଭରା ଫୁଲଟିଏ,
ତୁମ ମହକରେ ଭ୍ରମର ଆତୁରେ
ତୁମ ମଧୁ ଶୋଷୁଥାଏ |
ମୋ ମନ ଉଦ୍ୟାନେ ଫୁଟିଥିଲ ଦିନେ
ତୁମକୁ ମୁଁ ତୋଳିଥିଲି,
ତୁମେ ମୋ ଗୋଲାପ ମୁଁ ତୁମ ମଧୁପ
ହୃଦୟେ ମୋ ବାନ୍ଧିଦେଲି |
ଆମ ପ୍ରେମେ ଅଛି ସ୍ବର୍ଗୀୟ ସୁଷମା
ତୁମେ ଅଟ ସମର୍ପିତା,
ତୁମ ପ୍ରୀତି ପାଇ ଜୀବନ ମୋହର
ଲଭିଛି ଶେଷ ପୂର୍ଣ୍ଣତା |
ଭଲପାଏ ମୁଁ ଯେ ତୁମକୁ ଗୋ ପ୍ରିୟା
ହୃଦୟେ ସାଇତା ତୁମେ,
ତୁମ ପ୍ରେମ ପାଇ ମୁଗ୍ଧ ମୋ ଅନ୍ତର
ଜୀବନେ ତ ସୁଖୀ ଆମେ |
ଆମ ସଂସାରରେ ଆସିନି ବିରହ
ନାହିଁ ପ୍ରୀତି ପ୍ରତାରଣା,
ପୀରତିର ବର୍ଷା ବରଷିଛି ସଦା
ପାପ ହୁଏ ବାଟବଣା |
ହୋଇନାହେଁ ଆମେ ଆଲୋଡ଼ିତ ମନେ
ଛୁଇଁ ନାହିଁ କେବେ ପାପ,
ନିଜ ଦୁଃଖେ ଦୁଃଖୀ ନିଜ ସୁଖେ ସୁଖୀ
ନାହିଁ ଭାଗ୍ୟେ ଅଭିଶାପ |
ତୁମେ ସରସୀର ନୀଳକଇଁ ଟିଏ
ମୁଁ ଯେ ଆକାଶର ଜହ୍ନ,
ଯେଉଁଠି ଥିଲେ ବି ଅବା ଯେତେଦୂରେ
ନିକଟରେ ବନ୍ଧା ମନ |
ତୁମେ ମୋ ହୃଦୟେ ପ୍ରୀତିର କବିତା
ଲେଖନୀରେ ତୁମେ ଶକ୍ତି,
ତୁମ ପରଶରେ ରଙ୍ଗ ଭରିଯାଏ
ତୁମେ ମୋ ଜୀବନ ସାଥି |
ଆମ ଏ ଜୀବନ ଭରିଅଛି ପୂଣ୍ୟ
ଝରିଯାଅ ପ୍ରୀତି ହୋଇ,
ତୁମରି ଆଶ୍ଳେଷ ଆଲିଙ୍ଗନେ ମୋର
କ୍ଲାନ୍ତ ତନୁ ଉଠୁ ଚେଇଁ ||

