STORYMIRROR

Jagannath Barik

Abstract Romance

4  

Jagannath Barik

Abstract Romance

ରହିଯାଅ ନିଦ୍ରା ଦୂରେ

ରହିଯାଅ ନିଦ୍ରା ଦୂରେ

1 min
634

ଆଜି ମଧୁରାତି ରହରେ ନିଦ୍ରା ମୋହଠାରୁ ଦୂରେ ଦୂରେ 

ଦେଉଥିଲୁ ଯାହା ସପନ ସମ୍ଭାରେ ପାଇଛି ମୁଁ ବାସ୍ତବରେ 

   ମନ ଗହନର ଏ ଦୁର୍ବାର ଆଶା   

   ନବ ପରିଣିତା ମିଳନ ଲାଳସା 

ରହ ରହ ନିଦ୍ରା ଦୂରେ, 

ମୋ ପ୍ରାଣପ୍ରିୟାର ଅମୀୟ ପରଶ ଲଭୁ ଏ ଶରୀର ଥରେ ||

ଏଇ ଶୁଭିଲାଣି ପ୍ରିୟାର ନୂପୁର ନିକ୍ୱଣ ରୁଣୁ ଝୁଣୁ 

ଅଭିସାରିକାର ମିଳନ ମଧୁର ପ୍ରଣୟ ପ୍ଲାଵିନୀ ବେଣୁ 

   ବିହ୍ଵଳିତ ମୋର ତନୁ ମନ ପ୍ରାଣ 

    ମାରେ ମାର ଘନ ଘନ ଫୁଲ ବାଣ 

 ରହିଯାଅ ନିଦ୍ରା ଦୂରେ, 

ଆଜନ୍ମ ଦରିଦ୍ର ରତନ ମଞ୍ଜୁଷା ପାଇଛି ହାତ ପାଶରେ ||

ଆଶା ଉପବନେ ଫୁଟିଯାଏ ମୋର ନବୀନ ସୁମନରାଜି 

କାମ ଭୋଗେ ମାତି ପୁହାଇବି ରାତି ନବ ନାଗରେନ୍ଦ୍ର ସାଜି 

    ପ୍ରିୟା ଗଣ୍ଡେ ଓଠେ ଶତ ଚୁମ୍ବ ରେଖା 

    ଆଙ୍କି ଦେବି ଅଙ୍କେ ବସାଇ ରସିକା 

 ରହ ରହ ଆରେ ନିଦ୍ରା, 

ଚିର ପୋଷିତ ଏ ଅନିର୍ବାଣ ଆଶା ପୂରଣେ ନଦିଅ ବାଧା ||

ପ୍ରିୟାର ମୁକୁଳା କୁଞ୍ଚିତ କୁନ୍ତଳା ସଜ ସରସିଜ ମୁଖ 

ଅଭିମାନିନୀର ଅକୁହା କୁହାରେ ଅନିର୍ବଚନୀୟ ସୁଖ 

    ନବୀନ ନବୀନା ଅଙ୍ଗେ କର ଚାଳି 

    ଅଙ୍ଗେ ଅଙ୍ଗେ ଦେବି ଅନଙ୍ଗ ସଞ୍ଚାରି 

ମାନିବିନି ନିଦ୍ରା ତୋରେ, 

ଉକୁଟାଇ ଦେବି ପ୍ରଣୟ ମେଦୁର ଘନ ଲତା ପ୍ରୀତି ତାଳେ ||

ଅକ୍ଷତ ତା'ର ମଧୁ କୋଷାଗାର ଲୁଟିବି ମଧୁପ ପରି 

ସ୍ବର୍ଣ୍ଣ ଘନ ବକ୍ଷ ଚାରୁ ଚନ୍ଦ୍ରାନନ ନବାଙ୍କୁର କୁଚ ଦଳି 

    ଫିଟିବ କବରୀ ବକ୍ଷ ନୀବି ବାସ 

    ଚାଲିବ ସୁରଙ୍ଗେ ମଦନ ବିଳାସ 

ରହିଯାଅ ନିଦ୍ରା ଦୂରେ, 

ତୃଷିତ ପରାଣ ତୃପତ ହୋଇବ ପ୍ରିୟା ପ୍ରୀତି ମଧୁ ଝରେ ||

ପ୍ରିୟା ଅଙ୍ଗ ସଂଗ ଆଦ୍ୟ ପରିରମ୍ଭ ହେଉ ଚିର ଅପାସୋରା 

ପ୍ରେମ ରସାପ୍ଳୁତ ସ୍ବେଦ ଜର୍ଜରିତ ଫୁଲ ଶେଯ ରାସ ଲୀଳା 

     ମିଶିଯାଉ ବେନି ମନ ଆଉ ପ୍ରାଣ 

     ମୀନକେତନର ହେଉ ଜୟଗାନ 

 ରହିଯାଅ ନିଦ୍ରା ଦୂରେ, 

ବାସର ରାତିର ଅସରା ସୁଖରୁ ବଞ୍ଚିତ କରନା ମୋରେ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract