ଭାବର ନାଁ ରାଧା
ଭାବର ନାଁ ରାଧା
ଭାବର ନାଁ ରାଧା, ତ୍ୟାଗର ନାଁ ରାଧା
ପ୍ରେମ ପାଇଁ ଜୀବନକୁ ସମ୍ପିଦେଲା ପରେ
ନିଜ ଅସ୍ତିତ୍ବକୁ ନିଃଶେଷ କରିଦେବାର ସଂକଳ୍ପର ନାଁ ରାଧା।
ଅହଂତ୍ୱର ପରସ୍ତ ପରସ୍ତ ଆସ୍ତରଣକୁ
ଫିଙ୍ଗିଦେବାକୁ ହୁଏ ରାଧା ହେବା ପାଇଁ
ପ୍ରତୀକ୍ଷାର ଶରଶଯ୍ୟାରେ ଶୋଇବାକୁ ପଡ଼େ
ରାଧା ପରି ଭାବ ଟିକେ ପାଇବା ପାଇଁ।
କେବେ ହସିହସି କରିବାକୁ ପଡ଼େ ବିଷପାନ
ଆଉ ଫିଙ୍ଗିଦେବାକୁ ହୁଏ ଲାଜ ମାନ ଅଭିମାନ
ଓ ବାଧେନାହିଁ ସେବେ ଆଉ ନିନ୍ଦା ଅପମାନ
ମୁକ୍ତିକୁ ବି ପାଦରେ ଆଡେଇ ଦେବାକୁ ପଡ଼େ
ପ୍ରେମର ସେ ପାରିଜାତ ଗଳାରେ ଧାରଣ ପାଇଁ।
ଗୋଟି ଗୋଟି କରି ଆସକ୍ତିର ପରଦା ସମୂହକୁ
ଆଖି ଆଗରୁ ଆଡ଼େଇବା ପରେ
ମାୟାର ଗଣ୍ଠି ସବୁ ନିସଙ୍କୋଚେ ଫିଟେଇଲା ପରେ
ଝାପ୍ସା ଦିଶେ ରାଧା ପଦଚିହ୍ନ।
ଚାଲିବାକୁ ହୁଏ ପ୍ରେମକୁ ପାଥେୟ କରି
ବାକି ସବୁ ଦୁରେ ଫିଙ୍ଗିଦେଇ
ନା କିଛି ପାଇବାର ଆଶା ନା କିଛି ଜିତିବାର ନିଶା
ଯେତେବେଳେ ପ୍ରେମ ଆଉ ଲକ୍ଷ ହୋଇ ରହେନାହିଁ
ଜୀବନ ସ୍ୱୟଂ ପାଲଟିଯାଏ ପ୍ରେମ ସଂଜୀବନୀ
ସେତେବେଳେ ଜିଇଁବାକୁ ହୁଏ ପ୍ରେମରେ
ଓ ମରିବାକୁ ବି ହୁଏ ପ୍ରେମରେ।
ସେଇ ମରିମରି ଜୀଇଁବାର ନାଁ ରାଧା
ହସି ହସି କାନ୍ଦିବାର ନାଁ ରାଧା
ମୁଁ ନୁହେଁ ସେ ହେବାର ନାଁ ରାଧା
ଅଧା ନୁହେଁ ପ୍ରେମର ପୂର୍ଣ୍ଣତାର ନାଁ ରାଧା।