ଏହା ତ ଜରୁରୀ ନୁହେଁ
ଏହା ତ ଜରୁରୀ ନୁହେଁ
ତୁମ ପାଇଁ ଉଇଁ ଆସିବ ପ୍ରାଚୀ ଉହାଡ଼ରୁ ନୂଆ ସୂର୍ଯ୍ୟଟିଏ
ରଜନୀ ପାହିବା ଆଗରୁ, ଏହା ତ ଜରୁରୀ ନୁହେଁ !
ସବୁ ରାତି ଯେ ଶୋଇଯିବ ନିଦ ସ୍ୱପ୍ନ ଓ ଆଶ୍ୱସ୍ତିର ଚାଦର ତଳେ
କ୍ଳାନ୍ତି ଯେତେ ମେଣ୍ଟିବା ଆଗରୁ, ଏହା ତ ଜରୁରୀ ନୁହେଁ !
ସବୁ ସ୍ୱପ୍ନ ପକ୍ଷଯୁକ୍ତ ହୋଇ ଉଡ଼ିଯିବେ ସ୍ୱକଳ୍ପିତ ରଙ୍ଗୀନ ଆକାଶକୁ
ତୁମ ହାତ ଧରି ନେଇ ଧୀରେ, ଏହା ତ ଜରୁରୀ ନୁହେଁ !
ଆଶାର ଆୟୁଷ ରେଖା ଲମ୍ବିଯିବ ଅଚିହ୍ନା ଦିଗନ୍ତ ପର୍ଯ୍ୟନ୍ତ
ନୂଆ ଇତିହାସ ଲେଖିବା ଲକ୍ଷ୍ୟରେ, ଏହା ତ ଜରୁରୀ ନୁହେଁ !
ସୁଖର ଏ ଅହଙ୍କାର ଆଜି ଯିଏ ହୃଦାଚଳେ କରୁଥାଏ ଦୀର୍ଘ ଅଟ୍ଟହାସ୍ୟ
କରୁଥିବ ଅନନ୍ତ ଶାସନ, ଏହା ତ ଜରୁରୀ ନୁହେଁ !
ଦୁଃଖର ଏ କଳାପାଣି ସୀମାବଦ୍ଧ କରିନେବ ତୁମ ନିୟତି ରେଖାକୁ
ଭାଙ୍ଗିଦେଇ ଶେଷ ସ୍ୱାଭିମାନ, ଏହା ତ ଜରୁରୀ ନୁହେଁ !
ସବୁଥର ପରି ନିଜ ମିଛ ଯୁକ୍ତି ସବୁକୁ ସାବ୍ୟସ୍ତ କରି ପାରିବ
ତୁମ ବେଢଙ୍ଗ ଉପାୟ ମାନରେ, ଏହା ତ ଜରୁରୀ ନୁହେଁ !
କିଛି ପ୍ରାପ୍ତି ଲାଳସାରେ ଯାଚିଥିବା କିଛି ନକଲି ଭାବନାର ମୂଲ୍ୟ
ତୁମ ପାଶେ ଫେରିବ ଅଚିରେ, ଏହା ତ ଜରୁରୀ ନୁହେଁ !
ସକାଳର ଚିକମିକ ଖରାର ଭାଗ୍ୟରେ ଯେ ମେଘୁଆ ମଧ୍ୟାହ୍ନ ନଥିବ
ତୁମ ନିର୍ଭୁଲ ଗଣନା ପରେ, ଏହା ତ ଜରୁରୀ ନୁହେଁ !
ତୁମ ଉପହାସ ପରିହାସ ଓ ତାଚ୍ଛଲ୍ୟର ଉକ୍ତି ଶୁଣି ସାମ୍ନାବ୍ୟକ୍ତି
ହସିଦେବ ହର୍ଷ ହୃଦୟରେ, ଏହା ତ ଜରୁରୀ ନୁହେଁ !
ତୁମ ଯୋଜନାରେ ସହଭାଗୀ ହୋଇ ଜୀବନ ଯେ ଚାଲୁଥିବ
ତୁମ ସହ ହାତ ଛନ୍ଦି ଦେଇ, ଏହା ତ ଜରୁରୀ ନୁହେଁ !
ନିୟତିକୁ ନିନ୍ଦିଚାଲି ନିଜେ ଦୋଷମୁକ୍ତ ହେଲେ ବଦଳି କି ଯିବ
ତୁମ ଛାଇ ଶ୍ବେତରଙ୍ଗ ହୋଇ, ଏହା ତ ଜରୁରୀ ନୁହେଁ !
