STORYMIRROR

Dr Baman Chandra Dixit

Abstract Romance Classics

4  

Dr Baman Chandra Dixit

Abstract Romance Classics

ତରଙ୍ଗିଣୀ ତୁମେ

ତରଙ୍ଗିଣୀ ତୁମେ

1 min
434


ତରଙ୍ଗିଣୀ ତୁମେ ଅଙ୍ଗେ ଅଙ୍ଗେ ତୁମ,

ପ୍ରୀତି ଆବେଗ ଅପାର ରଖିଛ।

ରଙ୍ଗ ଉମଙ୍ଗର ସଙ୍ଗ ଗୀତିକଥା,

ତୁମେ ତରଙ୍ଗେ ତରଙ୍ଗେ ଲେଖିଛ।।


ଯେବେ ପାହାଡ଼ ଉହାଡ଼େ ଲୁଚି ଲୁଚି,

ଘୁଞ୍ଚି ଦେଖୁଥିଲ ଅଟକି ଅଟକି ।

ଆକଟ ଆଡ଼େଇ ପାଦକୁ ବଢ଼େଇ,

ଖସି ଆସୁଥିଲ ଛିଟିକି ଛିଟିକି।

ପଥର ଅନ୍ତରେ କଳ କଳ ସ୍ୱରେ,

ମୃଦୁ ଝଙ୍କାର ତୋଳି ମୋହିଛ।।


ଝରଣା ଗୋ ତୁମେ ନଇଁ ଯାଅ କେବେ,

ବାଧା ବନ୍ଧନ ତୁମେ ମାନନା ।

ଡେଇଁ ଯାଅ ଯେବେ ପ୍ରପାତ କୁ,

ବହି ଯାଅ ଝର ଝର ଝରଣା ।

ଛୁଇଁ ଛୁଇଁ ଯାଅ ଟାଙ୍ଗରା ଭୁଇଁକୁ,

କେତେ ପ୍ରଗତି ଗୀତିକା ଗାଇଛ।।


ଅଙ୍କା ବଙ୍କା ଚାଲି ନହକା ନହକା,

ଅଙ୍ଗେ ଅଙ୍ଗେ ନୂଆ ରୂପ ସମ୍ଭାର।

ଭରା ଭରା ଅଙ୍ଗେ ଯଉବନ ରଙ୍ଗେ,

ପ୍ରୀତି ଗୀତି ତରଙ୍ଗର ସଂଚାର।

ତୁମେ ବେଗବତୀ ତଟ ପ୍ରସ୍ତର କୁ,

ପ୍ରୀତି ଆତୁର ନାଗର କରିଛ।।


କେବେ ଭିଡି ଧରେ ତୁମ ପଣତ କୁ,

ତୁମେ ଆକଟ ଆଖିରେ ଅନେଇ।

କେବେ ରହିଯାଅ ଭଉଁରୀ ଖେଳେଇ,

କେବେ ବହିଯାଅ ପ୍ରୀତି ଜଗେଇ।

ତଟ କଣ୍ଟକେ ଅଟକିଲେ କାନି,

ତୁମେ ଶରମ ରେ ସରି ଯାଇଛ।।


ନଗ୍ନ ଅଙ୍ଗକୁ ବାଲୁକା ଶେଜରେ,

ସଜେଇ ହଜେଇ ଦେଇ ଚେତନା।

ରୁପେଲି ଜହ୍ନକୁ କପାଳେ ସଜେଇ,

ତାରକା କୁସୁମ କରି କଳ୍ପନା।

ସ୍ୱପ୍ନ ନାୟିକା ର କମନୀୟ କାୟା,

ପ୍ରିୟ ଅମ୍ବରେ ଅର୍ପଣ କରିଛ।।


ସାଗର ତରଙ୍ଗେ ପ୍ରିୟବର ଅଙ୍ଗେ,

ଲୀନ ହେବାର ପିପାଷା ଅପାର।

ଢେଉ ବାହୁ ତୋଳି ପ୍ରୀତି ରାଗ ବୋଳି, 

କୋଳେ କରିଲାଣି ନୀଳ ସାଗର।

ପ୍ରୀତି ଚୁମ୍ବନ ଗଣ୍ଡେ ଆଙ୍କିଯାଏ,

ତୁମେ ନିରବ ବାରଣ କରୁଛ।।

ପ୍ରୀତି ପାତ୍ରେ ରତି ରସ ଭରୁଛ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract