ଅନୁପମା
ଅନୁପମା
ହସ ତୁମ ସଖୀ ଅମୃତ ପ୍ରାୟ ଲୋ
ରାଗ ତୁମ ଚକ୍ରବାତ
ଅଭିମାନ ତୁମ ଅମୂଲ ମୂଲ ଲୋ
ବିନା ମେଘେ ବଜ୍ରପାତ I
କଣ୍ଠରୁ ତୁମର ଝରୁଥାଏ ସଦା
ମଣି ମୁକୁତାର ହାର
ଦୁଃଖରେ ତୁମର ଆକାଶରୁ ବର୍ଷା
ଝରିଯାଏ ଝରଝର I
ସୁଲଳିତ ସ୍ୱରେ ଗୀତ ଗାଇଦେଲେ
ସଞ୍ଜ ଆସେ ନଇଁ ନଇଁ
ବିପଦ ସଙ୍କେତ ଶୁଭିଯାଏ ସଖୀ
ଦେଖିଦେଲେ ତୁମ ଛାଇ I
ମତ୍ସ୍ୟକନ୍ୟା ପରି ଛନ୍ଦାୟିତ ହୋଇ
ଚାଲ ଯେବେ ଧିରେ ଧିରେ
ତୁମ ପାଦଚିହ୍ନ ଝୋଟି ଆଙ୍କିଦିଏ
ବେଳାଭୂମୀ ଧାରେ ଧାରେ I
ତୁମରି ତୀର୍ଯ୍ୟକ ଚାହାଣୀରେ ସିନା
ଭ୍ରଷ୍ଟହୁଏ ମୁନୀ ମନ
ତୁମରି ଆଖିର ଯାଦୁରେ ଲୋ ସଖୀ
ଆକାଶରେ ଉଏଁ ଜହ୍ନ I
ତୁମପାଇଁ ସଖୀ ଯେତେ ଲେଖିଲେ ବି
ମନ ପୁରେନାହିଁ ଜମା
ତ୍ରିଭୂବନେ ତୁମେ ଅତୁଳନୀୟା ଗୋ
ଅଦ୍ୱିତୀୟା ଅନୁପମା I