STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ସ୍ମୃତି ର ଅନେକ କାହାଣୀ

ସ୍ମୃତି ର ଅନେକ କାହାଣୀ

1 min
263


ପ୍ରେମରେ ବିରହ, ପ୍ରେମରେ ବିଚ୍ଛେଦ,ପ୍ରେମରେ ଛଳନା ଥାଏ

କେବେ କେବେ ସ୍ମୃତି ହୋଇ ରହିଯାଏ

ଯେତେ ଲୁଚାଇଲେ ଯେତେ ଲିଭାଇଲେ

ସେ କେବେ ଲୁଚି ନଥାଏ , (ଅଥବା) ଲୋକକଥା ରୂପେ ରୂପ ନିଏ ।।


କଳଙ୍କିତ ସ୍ମୃତି ବିରହ, ବିଚ୍ଛେଦ, ଛଳନା ଜନିତ ପ୍ରେମ

ଦେଖିବାକୁ ବଡ଼ ଚହଟ ଚିକ୍-ଣ

ମହାକାଳ ଫଳ ସୁନ୍ଦର ସମାନ

(ସେ) ସ୍ମୃତି ନୁହେଁ ଚିରନ୍ତନ, କାଳ କଳାରେ ହୁଏ ବିଲିନ ।।


ଶାଶ୍ଵତ ପ୍ରେମର ଚିରନ୍ତନ ସ୍କୃତି ଆଦୃତ ହୁଏ ସମାଜେ

ଲେଖା ହୋଇଯାଏ ସମାଜେ ବିରାଜେ

ପ୍ରେମ ଯଥା ରାଧା କୃଷ୍ଣଙ୍କର ବ୍ରଜେ

ସ୍ମୃତି ଚିରନ୍ତନ ସୃଜେ, ଚିର ଭାସ୍ଵର ଛବି ବିରାଜେ ।।


ସେ ସୃତିର ଯେଉଁ ମାହେନ୍ଦ୍ର ମୁହୂର୍ତ୍ତ ନୈସର୍ଗିକ ପ୍ରେମ ଝରା

ସମାଜେ ସେ ପ୍ରେମ ମନ୍ଦାକିନୀ ଧାରା

ପ୍ଳାବିତ କରଇ ଯୁଗ ଯୁଗ ସାରା

ସ୍ମୃତି ଆକାଶର ତାରା, ଯୁଗ ଯୁଗାନ୍ତର ଅପାସୋରା ।।


ଜାହାଙ୍ଗୀର ନୂର୍-ଜାହାନ ପ୍ରେମ ଏବେ ବି ଚିର ଜୀବନ୍ତ

ଅଲୌକିକ ସୃତି କହେ ଇତିହାସ

ପ୍ରୀତି ପ୍ରଣୟର ପ୍ରେମର ବିଶ୍ଵାସ

କରିଛି ଚିର ଶାଶ୍ଵତ, ସ୍ମୃତି ସତ୍ୟ, ଚିରନ୍ତନ, ନିତ୍ୟ ।।


ପୁରାଣ ପୋଥିରେ ତପତୀଙ୍କ ସହ ରାଜା ସମ୍ବରଣ ପ୍ରେମ 

ମହାଭାରତରେ ସୁଭଦ୍ରା ଅର୍ଜୁନ

ସେ ମହାନ ପ୍ରେମ ଚିର ବିଦ୍ୟମାନ

ଅଛି ଥିବ ଚିରଦିନ, ପ୍ରୀତିର ସ୍ମୃତି ଚିର ଅମ୍ଳାନ ।।


ଶକୁନ୍ତଳା ସହ ଦୁଷ୍ମନ୍ତଙ୍କ ପ୍ରେମ କାଳିଦାସ ଗଙ୍ଗାଧର

ସଂସ୍କୃତ, ସାହିତ୍ୟ ଲିଖିତ ଶୃତି ସମ୍ଭାର

ଯେତେ ପଢ ଲାଗେ ଜୀବନ୍ତ ପ୍ରକାର

ନାହିଁ ତାର ପଟାନ୍ତର, ପ୍ରେମ ‌ଭାବର ପୂଣ୍ୟ ସାଗର ।।


ମୋ ସ୍ମୃତି ମୋହର କବିତା ସମ୍ଭାର ତା ପ୍ରେମ ମୁଗ୍ଧ ମୁଁ କବି

ସ୍ମୃତି ଗୀତେ ଗୀତ ଲେଖେ ଭାବି ଭାବି

ଜୀବନ୍ତ ଶାଶ୍ଵତ ପ୍ରେମ ନବରବି 

ମୋ ପ୍ରେମ ସ୍ମୃତିର ଛବି, ପ୍ରଣମ୍ୟେ ମୁଁ ବାକ୍ୟ ଦେବୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance