ପ୍ରତୀକ୍ଷା
ପ୍ରତୀକ୍ଷା
ଦୂର ଗଗନର ନୀଳିମା ଭିତରେ
କୋଟି କୋଟି ତାରା ଗଣି
କେତେ କଥା ମନେ ଆସି ଲିଭିଯାଏ
ଦୀପ ଶିଖା ସମ ପୁଣି ।
କେତେ ଦିନ ପୁଣି ଏକାନ୍ତେ କଟିଛି
ତୁମ କଥା ଭାବି ଭାବି
ନିକାଞ୍ଚନେ ବସି ମନ କାଗଜରେ
ଆଙ୍କି ତୁମ ପ୍ରତିଛବି।
ସାଗରର ନୀଳ ଜଳରାଶି ବକ୍ଷ
ଦୂର ଦିଗବଳୟ ପାଶେ
ସାଗର ବେଳାର ଧୂସର ବାଲିରେ
ତୁମ ପ୍ରତିଛବି ଦିଶେ ।
କେତେ ରାତି ପୁଣି ଉଜାଗରେ ବିତି
ଯାଇଛି ତୁମକୁ ଭାବି
ଲକ୍ଷେ ପ୍ରତୀକ୍ଷାରେ ପରାଣ ଆତୁରେ
ଦେଖି ତୁମ ପ୍ରତିଛବି ।
ଆକାଶର ନୀଳ ନୀଳିମା ଭିତରେ
ଜହ୍ନ ଚାଲିଯାଏ ଆସି
ତୁମ ସ୍ମୃତିମଧ୍ୟେ ତୁମ ପ୍ରତିଛବି
ଜୋଛନାରେ ଖେଳେ ଭାସି ।
କେଉଁଆଡୁ ଆସି ଅଗୋଚରେ ମୋର
ପିଠିରେ ଦେଲ ଆଉଁସି
ପ୍ରତୀକ୍ଷାର ଅନ୍ତ ଘଟାଇଲ ମୋର
ଗୋଲାପ ଫୁଲଟେ ଖୋସି ।