ପ୍ରେମ ମୟୀ ମହୀ ମଣ୍ଡନା
ପ୍ରେମ ମୟୀ ମହୀ ମଣ୍ଡନା
ପ୍ରେମ ମୟୀ ନୀଳ ନୟନା
ଚାରୁଚନ୍ଦ୍ର ମୁଖୀ ଗୋକ୍ଷୀର ବରଣା
ମୋ ହୃଦୟ ରାଣୀ ଲଳନା ।।
ତୋ ପାଇଁ କବିର କବିତା ସମ୍ଭାର
ଚିତ୍ର କର ଚିତ୍ରପଟ
ତୋ ପାଇଁ ଜୀବନ ରସମୟ ସହୀ
ମନ ହୁଅଇ ଉଚ୍ଚାଟ
ତୋ ବିନା, ମନ ହୁଏ ଆନମନା
ପ୍ରେମ ମୟୀ ନୀଳ ନୟନା ।।
ପ୍ରଣୟ ଯଜ୍ଞରେ ପ୍ରୀତି ର ଆହୁତି
କାମଦେବ ଫୁଲ ଶର
କୋପ ପ୍ରଶମିତ ହୋଇଯାଏ ମିତ
ଜୀବନ ହୁଅଇ ସ୍ଥିର
ତୁ ସିନା, ମୋର ମନର ମଇନା
ପ୍ରେମ ମୟୀ ନୀଳ ନୟନା ।।
ପ୍ରେମର ସାଗରେ ତରୀ ସମ ନାରୀ
ସଂସାର ସିନ୍ଧୁ ଗରଭେ
ପାରି କରିପାରେ ତା ବିହୁନେ ନର
ପୂର୍ଣ୍ଣତା ପ୍ରାପ୍ତ କି ଲଭେ
“କଳନା, ନାହିଁ” ତୁ ମହୀ ମଣ୍ଡନା
ପ୍ରେମ ମୟୀ ନୀଳ ନୟନା ।।

