ସୁନୟନାର ଜନ୍ମ
ସୁନୟନାର ଜନ୍ମ
ତୁମେ ଆଦ୍ୟପାଦ ଦେଲ ଏ ମନର ମାଟିରେ
କବିତାର ଶୀଷର୍କରେ ଚଳଚ୍ଚିତ୍ର ଛବି ଓ ସଙ୍ଗୀତରେ
ତୁମେ ଆବିଷ୍କାର ହେଲ କେଉଁ ଏକ ମୁହୂର୍ତ୍ତରେ,
ଅନିନ୍ଦ୍ୟ ରୂପରେ ଟାଣିନେଇ ଏ ଅନ୍ତର ହୃଦୟକୁ
ଆଗମନେ ତୁମ ସର୍ଜନା ହେଲା ନୁଆ ଋତୁର
ନୁଆ ଅନୁଭବ ଦେଲ ଏକ ଅଦ୍ଭୁତ ଅବ୍ୟକ୍ତ ଭାବନାରେ,
ଶୀତଳତାର ପରଶ ଆଣି ଗ୍ରୀଷ୍ମ ବୈଶାଖରେ
ପ୍ରକୃତି ମନଷ୍କ ହେଲା ଏ ଚିତ୍ତ କୃତ୍ରିମ କ୍ଷଣେ
ଆଦରି ନେଲା ଚଞ୍ଚଳତାର ମୋହକୁ ମାୟାକୁ,
ତୁମ ଜନ୍ମ ଏ ମନଗର୍ଭେ ହେଲା ବିନା ଯନ୍ତ୍ରଣାରେ
ପୁଲକିତ ସୁରଭିତ ଭରାଭରା ଅନ୍ତଃ ଆକାଶ
ନୟନଦ୍ୱୟରେ ରଚିଲ ଅଦୃଶ୍ୟ କାବ୍ୟ ଏ ହୃଦ କାଗଜେ,
ଉନ୍ମୁକ୍ତ ହେଲା ଏ ସୁପ୍ତ ଶବ୍ଦ ଓ ଭାଷାର ଦ୍ୱାର
କଲମ କହିଲା ଆସ ଯିବା ବର୍ଣ୍ଣିବା ସେ ଭାବକୁ
ଚାହାଣୀର କାହାଣୀ ଓ ହସର ମନମୋହକ ରହସ୍ୟ,
ଆହାଃ ସତେ କି ଯାଦୁ ଅଛି ଆଉ ଅଛି ଆକର୍ଷଣ
ମଉଳା ଫୁଲ ସଜ ହୋଇ ବସିବ ଦେଖି ସେ ସ୍ମିତହାସ୍ୟ
ମାଟି ବି ଓଦା ହେବ ତୁମର ସେ ମଧୁର କଥାରେ,
ତୁମ ପ୍ରତିଟି ଠାଣିରେ ମାଦକତା ମତୁଆଲା ଦିଏ କରି
ବିଷାଦର କୁହୁଡ଼ି ଭୟଭୀତ ହୁଏ ନିରାଶ ହୁଏ ଆଶା
ସକାଳର ଅର୍ଥ ସତେ ଲାଗ ଦେଖିଦେଲେ ସେ ମୁଖଚନ୍ଦ୍ର,
ଲୋଭ ଈର୍ଷାର ମରୁଭୂମିରେ କଅଁଳେ ସବୁଜଭରା ମନ
ଦେଖାଏ ନବଦିଗନ୍ତ ଦିଏ ସାହାରା ଟିକେ ହସିବାର
ଅସମ୍ପୂର୍ଣ୍ଣର ଅନ୍ଧକାରରେ ଉଙ୍କି ମାରେ ଆଉ ଏକ ଜହ୍ନ,
ତୁମ ଜନ୍ମ ଶୈଶବ କୈଶୋର ଡ଼େଇଁ ଫଗୁଣରେ
ବୟସର କୃଷ୍ଣଚୁଡ଼ା ଫୁଲର ସୁବାସିତ ମହକ ନେଇ
ତୁମ ସହ ସମ୍ପର୍କ ଉଚ୍ଚକୋଟୀର ଅନୁଭବର କଥାଟିଏ।