ସାତ ସୁର
ସାତ ସୁର
ରୁମ ଝୁମ ତୁମ
ପାଉଁଜି ଶବଦେ
ଭାଙ୍ଗିଗଲା ମୋର ନିଦ
ପହିଲି ଫଗୁଣ
ମଳୟ ପବନେ
ଚହଲି ଗଲା ମୋ ହୃଦ ।
ବେପଥୁ ଓଠରୁ
ଝରିଗଲା ଭାଷା
ପ୍ରୀତିର ରାଗିଣୀ ତୋଳି
ନୟନ ଯୁଗଳୁ
ପ୍ରେମର ତରଙ୍ଗ
ସ୍ନେହ ରଙ୍ଗେ ଖେଳେ ହୋଲି ।
ରଜନୀ ପାହିଲା
ସୁରୁଜ ଉଇଁଲା
ପଦ୍ମ ହସେ କିରି କିରି
ଚାହାଣୀରେ ଭରା
କୁହୁକ ପରଶ
ପରାଣ ଭାଵଇ ଝୁରି ।
ଆତୁରେ ବିଭୋର
ହୃଦୟ ମୋହର
ତୁମର ପ୍ରଣୟ ପାଇଁ
କଣେଇ କଣେଇ
ଫେରି ମୁଁ ଚାହୁଁଚି
କାଳେ ଚୁମି ଦେବ ସହି ।
ଭାବନା ରାଇଜେ
ମୃଦୁ ଭୂମିକମ୍ପ
ଅଧିରେ ଥରୁଛି ହିଆ
ଆବଗେ ଝୁମୁଛି
ମନ ତଳେ ମୋର
ନିରବେ ଦେଖୁଛି ପ୍ରିୟା ।
ପୁଣି ଥରେ କେବେ
ଆସ ମୋର ସାଥୀ
ଅନ୍ତର ଦରଜା ଖୋଲି
ବନ୍ଧନର ଡୋରୀ
ଛିଡିବନି କେବେ
ସାତ ସୁର ହେଲେ ମେଳି ।