ଅଦିନ ମେଘ
ଅଦିନ ମେଘ
ଅଦିନିଆଁ ମେଘ ବରଷା ହୋଇଣ
ବରଷିଲା ଝିପିଝିପି
ଉପାୟ ନପାଇ ଗୋଟେ ଛତା ତଳେ
ରହିଥିଲେ ଦୁହେଁ ଛପି ||
ତୁମରି ଗାଲରେ ବରଷା ଟୋପାରେ
ବିଜୁଳି ଆଲୋକ ଖସି
ଗୋରା ଗାଲେ ତୁମ ମୁକୁତା ଖଣ୍ଡଟେ
ଦେଇଗଲା ସିଏ ନେଶି ||
ଆଖିର କଜ୍ବଳ ଧୋଇ ହୋଇଯାଇ
ସୃଷ୍ଟିକଲା କଳା ଦାଗ
ଅତି ଆଦରରେ ପୋଛି ଦେଇଥିଲି
ତୁମ ଗାଲୁ ସେଇ ଦାଗ ||
ହୃଦୟରେ ତୁମ ତରଙ୍ଗ ଖେଳାଇ
ଦେହେ ଶତ ଶିହରଣ
ସରମି ଲତାଟେ ପରି ଝାଉଁଳିଲା
ତୁମର ଚନ୍ଦ୍ର ବଦନ ||
ଛତା ଆଢୁଆଳେ ତୁମ ସରୁ ଗାଲେ
ଆଙ୍କି ଦେଇଗଲି ଚୂମା
ଆଜିଯାଏ ତୁମ ଗୋଲାପି ଅଧରେ
ଝଟକେ ତାର ସୁୁଷମା ||
ମେଘ ଛାଡିଗଲା ସୂରୁଯ ବୁଣିଲା
ଚତୁର୍ଦ୍ଦିଗେ ଅରୁଣିମା
ଆକାଶରେ ତୁମେ ଦେଖାଇଲ ମୋତେ
ଇନ୍ଦ୍ରଧନୁର ସୁଷମା ||
ତୁମ ଗାଲପରେ ଜଳ ଟୋପା ଦେହେ
ଇନ୍ଦ୍ରଧନୁ ସାତରଙ୍ଗ
ଅପୂର୍ବ ରୂପର ବଇଭବ ନେଇ
ହସୁଥିଲା ତୁମ ଅଙ୍ଗ ||
ମୋ ମନରେ ସେହି ଇନ୍ଦ୍ରଧନୁ ରଙ୍ଗ
ସହ ମିଶି ପ୍ରେମ ରଙ୍ଗ
ଆଙ୍କି ଦେଇଗଲା ତୁମ ପ୍ରତିଛବି
ତୁମ ସୁକୋମଳ ଅଙ୍ଗ ||