ବେସାହାରା ଜୀବନ
ବେସାହାରା ଜୀବନ
ଆଶ୍ୱାସନା ମୋତେ ଦେଉଥିଲା ଦିନେ
ନିଶୁନ ରାତିର ଜହ୍ନ
ଚାହୁଁ ଚାହୁଁ ସିଏ ପାଲଟିଲା ଏକ
କଅଁଳ ମଧୁର ମନ I
ଅମୃତ କଳସ ମଥାରେ ମୋ ରଖି
କେତେ ଶୁଭ ମନାସିଲା
ଆଖିତଳେ ମୋର ନନ୍ଦନ ବନର
ଛବିଟିଏ ଆଙ୍କିଦେଲା I
ପାରିଜାତ ଫୁଲ ତୋଳି ଆଣିଲା ସେ
ଧରାଇଲା ଆଖି ମୋର
ବଞ୍ଚିବା ପାଇଁକି ସବୁ ସୁଖ ଶିରୀ
ଦେଲା ମୋତେ ଉପହାର I
ସରଗର ପଥ ଦିଶିଲା ସୁନ୍ଦର
ସେଇ ଦିଗେ ଗଲି ଚାଲି
ଲକ୍ଷସ୍ଥଳ ମୋର ଘୁଞ୍ଚି ଘୁଞ୍ଚି ଗଲା
ଅଧାବାଟେ ଥକି ଗଲି I
ଅସହାୟ ପଣ ଘାରିଲା ଯେବେଳେ
ପାଖରେ ନଥିଲେ କେହି
ଜହ୍ନ ବି ନଥିଲା ମନ ବି ନଥିଲା
ଆଗେ ଥିଲା ମରୁଭୂଇଁ I