ପରିଭାଷା ପ୍ରେମର
ପରିଭାଷା ପ୍ରେମର
ମେଘ ପରଦାର ଫାଙ୍କରୁ ଯେବେ
ସୂର୍ଯ୍ୟ ଉଙ୍କି ମାରି ଚାହେଁ,
ନୀଳ ସରସୀର ପଦ୍ମ ବନରେ
ନିଆଁ ଅବା ଲାଗିଯାଏ ।
ଗୋଲାପୀ ଅଧରେ ଫୁଟିଉଠେ ତା'ର
ମଧୁର ଲାଜର ଛାଇ,
ନୟନ ଯୁଗଳ ମୁଦି ହୋଇଯାଏ
ପ୍ରେମର ଆବେଶ ନେଇ ।
ରୋମାଂଚିତା ହୁଏ ଗଭୀର ଆବେଗେ
ପ୍ରିୟର ପରଶ ପାଇ,
ବିରହର ଜ୍ବାଳା ନିମିଷେ ଦୂରାଏ
ପ୍ରୀତିଲଗ୍ନା ତାର ହୋଇ ।
ସରୋବର ପାଶେ କଦମ୍ବ ଫୁଲର
ଶୋଭା ପଡ଼େ ମହଳଣ,
ସତେକି ଚନ୍ଦ୍ରମା ଦିଶୁଛି ମଳିନ
ଗ୍ରାସିଛି ତାକୁ ଗ୍ରହଣ ।
ଘନ କଳା ମେଘ ଢାଙ୍କିଦିଏ ଯେବେ
ପ୍ରିୟର ଚନ୍ଦ୍ର ବଦନ,
ଅକାଳରେ ତେବେ ସଞ୍ଜ ମାଡ଼ି ଆସେ
ବ୍ୟଥାରେ ବୁଜେ ନୟନ ।
ମଧୂପ ଗୁଞ୍ଜନ ଉତ୍ତଳା କରେନା
ଦିଏ ଦୁଃଖ ଅସୁମାରୀ ,
ଆନମନା ହୋଇ ପ୍ରିୟ ବୋଲି ଚିନ୍ତି
ପାଖୁଡା ରେ ନିଏ ଭରି ।
ପଦ୍ମିନୀ ର ପ୍ରୀତି ହୋଇଯାଏ ଇତି
ପାଗଳ ଭ୍ରମର ପାଇଁ,
ବିଫଳ ପ୍ରେମର ଇତିହାସ ରଚେ
ମୃତ୍ୟୁ କୁ ଅରଜି ନେଇ ।
ପ୍ରେମ ସିନା ଏକ ମୁଗ୍ଧ ଅନୁଭବ
ସ୍ପନ୍ଦନ ସେ ହୃଦୟର,
ମିଳନ ଠୁଁ ମିଠା ବିରହ ଯେଉଁଠି
ମରି ବି ହୁଏ ଅମର ।