ଶ୍ରାବଣୀ
ଶ୍ରାବଣୀ
ଶ୍ରାବଣୀ ଗୋ ତୁମେ ଲୁଚିଗଲ କିଆଁ
ଧରା ବସେ ମନ ମାରି,
ଉଷର ଆଜି ତା ସବୁଜ ପଣତ
ଶୁଷ୍କ ମରୁଭୂମି ପରି ।
ତୁମ ଆଗମନୀ ଗାଉନି କାହିଁକି
ନିର୍ମଳ ବର୍ଷାର ଧାରା,
ପୁଚ୍ଛ ଟେକି ଆଉ ନାଚୁନାହିଁ କେକୀ
ଭେକ ସତେ ମୂକ ପରା ।
କହିଲା ଶ୍ରାବଣୀ, ଦେଖି କି ପାରୁନ
ଝରୁଛି ମୁଁ ଅବିରତ,
ସଦ୍ୟ ବିଧବାର ଆଖିରୁ ଝରି ଯେ
ହୋଇଛି ମୁଁ ଲବଣାକ୍ତ ।
ପିତାର ଆଖିରୁ ଝରୁଛି ପୁତ୍ରର
ଅକାଳ ବିୟୋଗ କାଳେ,
ମାଆର ଆଖିରୁ ଝରୁଛି ସତତ
କାଳର କରାଳ ଛଳେ ।
ସନ୍ତାନ ଆଖିରୁ ଝରୁଛି ନିରତ
ଅକାଳେ ହରାଇ ତାତ,
ମାତୃହରା କାନ୍ଦେ ଝରାଇ ଲୋତକ
ହୋଇଛି ସେ ତ ଅନାଥ ।
କେଉଁଠୁ ଆଣିବି ଭଣ୍ଡାର ଜଳର
ତୃଷା ମେଣ୍ଟିବାକୁ ତୁମ,
ଆଜି ମୁଁ ସାଜିଛି ଶୁଷ୍କ ଶ୍ରାବଣୀ ଟେ
ଭାଙ୍ଗିଛି ସୃଷ୍ଟି ନିୟମ ।
କହିଲି ବୁଝାଇ ଆଗୋ ମୋ ଶ୍ରାବଣୀ
ହୁଅ ନା ଏତେ ନିର୍ଦ୍ଦୟ,
ଫେରି ଆସ ସଖୀ ନିଜ ବଳୟ କୁ
ହୁଅନା ଏତେ ଅଥୟ ।
ତୁମ ସହ ଫେରୁ ଧାରା ଶିରାବଣ
ଖେଳୁ ସବୁ ଓଠେ ହସ,
ବିରହୀ ପ୍ରାଣର ସନ୍ତାପ ମେଣ୍ଟାଅ
ରଚୁ ଧରା ଏବେ ରାସ ।
ଦାରୁଣ ନିଦାଘ ପ୍ରାୟେ ଦୂରେ ଯାଉ
ଦୁଃଖର ବାଦଲ ରାଜି,
ନୂଆ ଆଶା ଆଉ ସମ୍ଭାବନା ଜାଗୁ
ସବୁରି ଅନ୍ତରେ ଆଜି ।
ଅନ୍ୟର ରୂପରେ ଦେଖନ୍ତୁ ସଭିଏଁ
ହାରିଥିବା ସମ୍ପର୍କକୁ,
ଗତ କଥା ଭୁଲି ନୂଆ ମନ ନେଇ
ଗଢ଼ନ୍ତୁ ଭବିଷ୍ୟତକୁ ।
ପୁଣି ଆସ ତୁମେ ଧରାର କୋଳକୁ
ବର୍ଷୁକି ରୂପରେ ଏବେ,
ସବୁଜିମା ଭରୁ ସବୁରି ପ୍ରାଣରେ
ଶାନ୍ତି ଫେରିଆସୁ ଭବେ ।