ଅନ୍ଧକାର ତା'ଠାରୁ ଭଲ
ଅନ୍ଧକାର ତା'ଠାରୁ ଭଲ
କାହିଁକି କେଜାଣି
ହଜିଯିବାକୁ ଇଚ୍ଛା ହୁଏ
ଆଲୋକର ପଥ ଛାଡ଼ି
ସୀମାହୀନ ଅନ୍ଧାର ଭିତରେ ?
ଓଃ ! ଏ ଆଲୋକ ଅସହ୍ୟ ଲାଗୁଛି
ଖାଁ ଖାଁ ଶ୍ମଶାନ ର ନୀରବତା,
ଜୁଇ ନିଆଁରେ ଉଦ୍ଭାସିତ
ଆଲୋକ ଭିତରେ,
ଅଣନିଶ୍ବାସୀ ମଣିଷ
ଖୋଜୁଛି ଟିକିଏ ଅନ୍ଧାର
ମୁହଁ ମାଡ଼ି ଶେଯ ପରେ
ଭୁଲିବାକୁ ଯନ୍ତ୍ରଣା ଶୋକର ।
ବରଂ ଭଲ ଥିଲା,
ସେ ପ୍ରାଗୈତିହାସିକ ଯୁଗ
ସମ୍ପର୍କ ନ ଥିଲା
କର୍ତ୍ତବ୍ୟ ନ ଥିଲା
ସ୍ନେହ, ପ୍ରେମ,ବନ୍ଧନ ନ ଥିଲା
ଭବିଷ୍ୟତ ପାଇଁ କିଛି
ସ୍ୱପ୍ନ ବି ନ ଥିଲା !
ତାରା,ଜହ୍ନ, ସୂର୍ଯ୍ୟଙ୍କ
ଆଲୋକ ସାଥିରେ
ଏ ମଣିଷ ଅନ୍ଧାର ଜାଣିଲା,
ଅଳିକ ସ୍ୱପ୍ନରେ ହଜି
ସମ୍ପର୍କ ଗଢ଼ିଲା ?
ବାଛିନେଲା ନିଜପାଇଁ
ଆଲୋକର ରାସ୍ତା,
ଅସୁମାରୀ ଆଶାଙ୍କୁ
ଜୀବନରେ ପ୍ରଶ୍ରୟ ବି ଦେଲା !
ହେଲେ....
ସବୁ ସ୍ୱପ୍ନ କଣ ବାସ୍ତବ ପାଲଟେ ?
ସବୁ ଆଶା କଣ
ଚରିତାର୍ଥ ହୁଏ ?
'କାମନାର ବିନାଶରେ ଦୁଃଖର ବିନାଶ'
ତୁଣ୍ଡରେ ଉଚ୍ଚାରି
ଜୀବନରେ ନିଆଁ ସେ ଲଗାଏ ।
ତେଣୁ ହେ ଈଶ୍ୱର !
ଜୁଇ ନିଆଁ ଆବଶ୍ୟକ ନାହିଁ
ଏ ଧରାର ଅନ୍ଧକାର ପାଇଁ ,
ପୁଣି ଫେରେଇଦିଅ
ସେ ପୂର୍ବର ସଂସାର ।
କରିବିନି ଅଳି ଆଉ
ଆଲୁଅ ଟିକକ ପାଇଁ
ଯେହେତୁ ମୁଁ
ବୁଝିସାରିଲିଣି
ଏଠି ଆଲୁଅ ଠୁଁ ଢେର ଭଲ
ଅନ୍ଧାରର ଆସ୍ତରଣ !
ଚାଲିବାକୁ ଜୀବନର ପଥେ
ଗାଇ ଗାଇ ଗୀତ ନିର୍ବାଣର ।