ଅଣବସର
ଅଣବସର
ଦ୍ୱାପରର କଥା ଭୁଲି କି ପାରୁନୁ
ଯମୁନା ସ୍ନାହାନ ଲୀଳା
ଗୋପୀକା ମାନଙ୍କ ବସ୍ତ୍ର ତୁ ହରିଲୁ
ନିନ୍ଦା ବାଜଣା ବାଜିଲା ।
କଳିରେ ରହିଲୁ ବଡ଼ ଦେଉଳରେ
ଜଗନ୍ନାଥ ନାମ ବହି
ସ୍ନାନ ମଣ୍ଡପରେ ସ୍ନାନ ପୂର୍ଣ୍ଣିମାରେ
ଭାଇ ଭଉଣୀଙ୍କୁ ନେଇ।
ଦଇତାପତିଙ୍କ ମେଳରେ ଆସୁ ତୁ
ସ୍ନାହାନ କରିବା ପାଇଁ
ଶହେ ଆଠ ଗଡୁ କୂପର ଜଳରେ
ଦିଅନ୍ତି ତୋତେ ଗାଧୋଇ ।
ବରଷକେ ଥରେ ଏତେ ଜଳେ ସ୍ନାନ
ହୁଏ ତୋ ପାଇଁ ଯେ କାଳ
ଅଣବସରରେ ଗମ୍ଭୀରା ଭିତରେ
ଲୀଳା କରୁ ଆଦି ମୂଳ ।
ଜ୍ଵରରେ କମ୍ପୁ ତୁ ଗ୍ରହଣ ନ କରୁ
ମହାପ୍ରସାଦର ଭୋଗ
ରୋଗୀ ପଥ୍ୟ ଖାଇ ଫୁଲୁରି ତୈଳରେ
ଘଷା ମୋଡ଼ା ଖାଉ ଆଗ ।
ଶ୍ରୀହୀନ ଦିଶୁଛି ତୋର ଶ୍ରୀମନ୍ଦିର
ପଟି ଦିଅଁ ପୂଜା କରି
ଶ୍ରୀ ଅଲାରନାଥ ଙ୍କୁ ଦରଶନ କରି
ଭକ୍ତ ଖାଇଥାଏ କ୍ଷୀରି ।
ଲକ୍ଷ୍ମୀ ସାଆନ୍ତାଣୀ ପଥି ରାନ୍ଧି ଥାନ୍ତି
ବିରସ ଭରା ମନରେ
ଭଲ ହୋଇଯାଉ ସଭିଙ୍କ ଯତ୍ନରେ
ମାତ୍ର ପନ୍ଦର ଦିନରେ ।
ଶୁକ୍ଳ ପ୍ରତିପଦା ତିଥିରେ ଦେଉ ତୁ
ନବ ଯୌବନ ଦର୍ଶନ
ଉଛୁଳି ଉଠଇ ପରମ ଆବେଗେ
ବ୍ୟଥିତ ଭକ୍ତ ପରାଣ ।
ଜୟ ଜଗନ୍ନାଥ ଜଗତର ନାଥ
ଅପାର ଲୀଳା ତୋହର
ପରଦିନ ଦେଉ ରଥରେ ଦର୍ଶନ
ବାମନ ଙ୍କ ଅବତାର ।
ଅଣବସରରେ ରହିଛୁ କାଳିଆ
ଭକତ ଜୀବନ ଧନ,
ତୋର ଅଦର୍ଶନେ ଆକୁଳ, ବିକଳ
ସନ୍ତାପିତ ମନ ପ୍ରାଣ ।
ଯେତେ ରୋଗ ତୋର ଭରି ଦେ ମୋ ଦେହେ
ସୁସ୍ଥ ହୁଅ ମହା ବାହୁ
ଯାଉ ଏ ଜୀବନ ,ଶେଷ ଦୃଷ୍ଟି ମୋର
ତୋ ପଦ ଯୁଗଳେ ଥାଉ ।