ସମ୍ପର୍କର ପରିଭାଷା
ସମ୍ପର୍କର ପରିଭାଷା
ମେଘକୁ ମାଗିଲି ଘନ କଳା ରଙ୍ଗ
କଜ୍ଜ୍ଵଳ କରିବି ବୋଲି,
ମନା କରିଦେଲା କହିଲା ଝରିବି
ଧାରା ଶିରାବଣ ଭଳି ।
ଫୁଲକୁ ମାଗିଲି ସୁବାସ ତାହାର
ମୋ ଦେହର ବାସ୍ନା ପାଇଁ,
ମୁହଁ ମୋଡ଼ି ଗଲା ଭଅଁର ପାଖକୁ
ଆତୁରେ ରହିଲି ଚାହିଁ ।
କେକୀ କୁ ମାଗିଲି ସପ୍ତ ରଙ୍ଗ ବିଭା
କପାଳର ବିନ୍ଦି ଲାଗି,
କହିଲା ସାଇତି ରଖିଛି ସେ ତାକୁ
ମେଘ ରାଜା ପାଇଁ ମାଗି ।
ଭରା ବସନ୍ତ ରେ ଶୁଣିଲି କୋଇଲି
କୁହୁ କୁହୁ ମିଠା ରାଵ,
ମାଗିଲି ଯେମିତି କହିଲା କରିଛି
ମଧୁମାସ ସହ ଭାବ ।
ମାଗିଲି ଗିରିକୁ ଦେ ମୋତେ ଧୈର୍ଯ୍ୟ
ସହିବାକୁ ଯେତେ ଦୁଃଖ,
ଆନନ୍ଦେ ଦେଲା ସେ ପଣତରେ ମୋର
ନ ହୋଇ ତିଳେ ବିମୁଖ ।
ନାରୀଟିଏ ମୁହିଁ ପାଉଛି ଆଦର
ନଥାଇ ରଙ୍ଗ ବା ରୂପ,
ଧୈର୍ଯ୍ୟର ସହିତ ଯୁଝୁଛି ସଂସାରେ
ସହୁଛି ଦୁଃଖର ଧାପ ।
ଅଟଳ ରହିଛି ପାହାଡ଼ ଟେ ପରି
ଗଢିବାକୁ ମୋ ସଂସାର,
ମମତା ସୂତାରେ ବାନ୍ଧିଛି ସଭିଙ୍କୁ
ନାହିଁ କେ ଆପଣା ପର ।
ସମ୍ପର୍କ ନଦୀରେ ଭସାଇ ଦେଇଛି
ନିଷ୍ପାପ ମନର ନାଆ,
ଦୁଃଖୀର ଓଠରେ ଫୁଟାଉଛି ହସ
ଦେଇ ଭରସାର ବାଆ ।
ସବୁ ସମ୍ପର୍କକୁ ବାନ୍ଧିଛି କାନିରେ
ଦେଇ ବିଶ୍ୱାସର ଗଣ୍ଠି,
ଜନନୀ ଭଗିନୀ ଜାୟା ,କନ୍ୟା ରୂପ
ଦେଖୁଛି ଦୁନିଆଁ ମୋ'ଠି ।