ବେଳାଭୂମି
ବେଳାଭୂମି
ପ୍ରାଚୀ ଗଗନ ରେ ଉଇଁ ଆସେ ଯେବେ
ପୂର୍ଣ୍ଣିମା ର ପୂର୍ଣ୍ଣ ଇନ୍ଦୁ,
ଉତ୍ତାଳ ଲହରୀ ମଥା ପିଟି ଦିଏ
ଝରି ଯାଏ ଅଶ୍ରୁ ବିନ୍ଦୁ ।
ବେଳାଭୂମି ତୁମ ପଥର ଛାତିରେ
ଆବେଗର ସ୍ପର୍ଶ ଦେଇ,
ସାଗର କନ୍ୟା ତା ନୀଳ ଓଢଣୀ ରେ
ତୁମକୁ ଦିଏ ଯେ ଛୁଇଁ ।
କୁହ ବେଳାଭୂମି ହୁଏ କି କମ୍ପିତ
ତନୁ ତୁମ ପ୍ରୀତି ସ୍ପର୍ଶେ,
ମଧୁର ମିଳନ ସଙ୍ଗୀତ କି ଗାଅ
ଗୁଣୁଗୁଣୁ ହୋଇ ହର୍ଷେ ।
କେତେ ତଟିନୀଙ୍କୁ ଆଶ୍ରୟ ଦେଇଛ
ତୁମ ପ୍ରଶସ୍ତ ବକ୍ଷ ରେ,
ତଥାପି ଦେଇଛ ହୃଦୟ କି କୁହ
ନୀଳ ସାଗର ଢେଉ ରେ ।
ଢେଉ ବୁଝିଛି କି ତୁମ ମନ କଥା
ଦେଉଛି ଆଘାତ ଘୋର,
ଶୁଣିଛି କି କେବେ କାନ ଡେରି କୁହ
ତୁମ ବ୍ୟଥା ଭିଜା ସ୍ୱର ।
ଆଘାତ ରେ ତାର ବିଦୀର୍ଣ୍ଣ ହୋଇଛି
ତୁମରି ପାଷାଣ ଛାତି,
ଖିନ୍ନଭିନ୍ନ ହୋଇ ସହସ୍ର ଖଣ୍ଡରେ
ଯାଇଛି ବାଲି ପାଲଟି ।
ତୁମ ଛାତି ପରେ କେତେ ପଦ ଚିହ୍ନ
ସମୟ ଦେଉଛି ଧୋଇ,
କହ ବେଳାଭୂମି କାହିଁକି ଯେ ତୁମେ
ବସିଛ ମଉନ ହୋଇ ।
କହି ତ ପାରନ୍ତ ଦୁଃଖକୁ ତୁମର
ବୁଝନ୍ତା ଲହରୀ କେବେ,
ଶାଶ୍ୱତ ପବିତ୍ର ପ୍ରେମକୁ ତୁମର
ଦେବ ସେ ସ୍ୱୀକୃତି ତେବେ ।
ଦେବ ସେ ତୁମକୁ ପ୍ରେମର ପରଶ
କରିବ ଯେବେ ନିଜର,
ପ୍ରୀତିର ଛୁଆଁ ରେ ଭିଜାଇଦେବ ସେ
ପାଷାଣ ତନୁ ତୁମର।