କାଶତଣ୍ଡୀ
କାଶତଣ୍ଡୀ
ପ୍ରଗଳ୍ଭା ନାୟିକା ଶରତ ସୁନ୍ଦରୀ
ଶୁଭ୍ର ସନ୍ୟାସିନୀ ବେଶ
କମନୀୟ କାନ୍ତି ଦର୍ଶନେ ହିଁ ଶାନ୍ତି
ଷୋଡଶି ଯୌବନା ସମ।
ଶାଶ୍ବତ ପ୍ରେମର ମଧୁର ରାଗିଣୀ
ସ୍ମିତହାସ୍ୟ ନୃତ୍ୟରତା
ରୂପ ମାଧୁର୍ଯ୍ୟର ପ୍ରଶାନ୍ତର ଆଭା
ବିଲ ବଣ ନଦୀ ପଠା।
ରଙ୍ଗ ବାସ୍ନା ଶୂନ୍ୟ ନାହିଁ ଆଡମ୍ବର
ବିଦଗ୍ଧ ପ୍ରେମିକ ହଜେ
ଛନ୍ଦହୀନ ନୃତ୍ୟ ହୃଦୟ କୁଞ୍ଜରେ
ଦୁର୍ଲଭ ଛବିଟେ ଆଙ୍କେ।
ଭସା ବାଦଲଟା ଆକାଶେ ଭ୍ରମଇ
ନିର୍ବିକାର ଧ୍ୟାନଚିତ୍ତ
ଧବଳ ଚାମରେ ଶୁଦ୍ଧ ଦିବ୍ୟ ଭାବ
ମାତାଙ୍କୁ କରେ ସ୍ବାଗତ।
କ୍ଷଣିକ ଆୟୁଷ ଶାନ୍ତିର ପ୍ରକାଶ
ବିକାର ରହିତ ମନ
ଜୀବନ ଯୌବନ ନିର୍ମଳ ଭାବର
ସତେକି ଦିବ୍ୟ ଉତ୍ସବ!
କାଶତଣ୍ଡି ତୁଲୋ କହିବୁକି ଥରେ
ଶୁଭ୍ରବେଶ କାହିଁପାଇଁ
ତପସ୍ବିନୀ ପ୍ରାୟେ ସବୁ ତ୍ୟାଗକରି
ଆହ୍ଲାଦ ହେଉଛୁ ତୁହିଁ ?
ଗଭାର ଗଜରା ସୌନ୍ଦର୍ଯ୍ୟ ପସରା
କବିଜନ ମନମୋହେ
ତଥାପି କାହିଁକି ପରିତ୍ୟକ୍ତା ତୁହି
କୁହ କେଉଁ ଅଭିଶାପେ?
ନାହିଁ ଅଭିଳାଷ ପୂଜା ପାଇବାର
ଦେବତାର ମଥାପରେ
ମରତ ସୁନ୍ଦରୀ ମଉନାବତୀଗୋ
ନିର୍ବିକାର ନିରନ୍ତରେ।
ଅପରୂପା ତୁମେ ଶରତ ସୁନ୍ଦରୀ
ନାହିଁ ଅଭିମାନ କ୍ଷଣେ
ଚିର ପୂଜାରିଣି ଶାଶ୍ବତ ପ୍ରେମର
ତୁମେ ଏ ମରତଧାମେ।
ହସି ହସି ସତେ ଝୁମି ଝୁମି ଯାଉ
ଶରତ ଦିଶେ ସୁନ୍ଦର
ମନମୋହିନୀ ଗୋ ବର୍ଣ୍ଣିବାକୁ ରୂପ
ତାକତ ନାହିଁ ମୋହର।
ଋତୁଚକ୍ରେ ଦେଖ ଯାଏଗୋ ଶରତ
ତୁମେ ରହିଯାଅ ମନେ
ଆର ବରଷକୁ ଅପେକ୍ଷା ତୁମର
ଆସୁଥାଅ ଧରାଧାମେ।