ବୁଦ୍ଧଂ ଶରଣଂ ଗଛ୍ଛାମି
ବୁଦ୍ଧଂ ଶରଣଂ ଗଛ୍ଛାମି
ମୁଁ ଜୀବନ ଚାହେଁ
ଭଲପାଇବାକୁ ଅନୁଭବ କରିବାକୁ ଚାହେଁ
ପ୍ରେମପାଇଁ ଶତ ଶତବାର ପୃଥିବୀକୁ
ଆସିବାକୁ ଚାହେଁ ।
ପ୍ରେମପାଇଁ କଳଙ୍କିନୀ ହେବାକୁ ଚାହେଁ
ରାଧାପରି ଶାଶ୍ବତ ପ୍ରେମର ପଥିକ ମୁଁ
ପ୍ରେମପାଇଁ ଗରଳ ପିଇବାକୁ ଚାହେଁ
ମୀରାପରି ଦିବ୍ୟସତ୍ତାରେ ପାଗଳିନୀ ମୁଁ।
ତୁମେ କି ଜାଣିବ ବୁଦ୍ଧ
ପ୍ରେମ କ'ଣ?ପ୍ରତାରଣା କ'ଣ? ଛଳନା କ'ଣ?
ନିନ୍ଦା ଅପନିନ୍ଦା କ'ଣ?କାମନା କ'ଣ?
ତୁମେ ଖାଲି କହିପାର
ନିର୍ବାଣ ନିର୍ବାଣ ନିର୍ବାଣ।
ମୁଁ କ'ଣ ଛାଡିପାରିବି ତୁମପରି
ନିର୍ଦୟଭାବେ କଅଁଳଶିଶୁପୁତ୍ର ଆଉ ଅଭାଗା ପତ୍ନୀକୁ
ମୁଁ କ'ଣ ଛାଡିପାରିବି ଲୁଣତେଲ ସଂସାରରେ
କ୍ଷଣିକ ମାୟାମୋହକୁ?
ହେଉପଛେ କ୍ଷଣିକ,ମିଳୁପଛେ ଅନେକ ଗଞ୍ଜଣା
ହସି ହସି ପିଇଯିବି ଲୁହସବୁ ଆଉ ଯେତେକ ଯନ୍ତ୍ରଣା
ହୋଇପାରିବିନି ତୁମପରି ବୁଦ୍ଧ ମୁଁ
ଜୀବନ ଚାହେଁ ନିର୍ବାଣ ଚାହେଁନା।