STORYMIRROR

padmaja pati

Action

4  

padmaja pati

Action

ବର୍ଷାରାଣୀ ମୁଁ

ବର୍ଷାରାଣୀ ମୁଁ

1 min
412

ମେଘ ସବାରୀରେ ଓହ୍ଲାଇ ଆସେ ମୁଁ

କେତେ ନୂଆ ଆଶା ନେଇ

ଗ୍ରାମ କି ସହର ହୁଏ ପୁଲକିତ

ଚିର ମୋ ପରଶ ପାଇ।


ପତ୍ର ଝରା ଦେଇ କାନ୍ଦୁଥିଲା ଗଛ

ପାହାଡଟା ଥିଲା ଲଣ୍ଡା

ଜଙ୍ଗଲ ନିଆଁର ପ୍ରକୋପକୁ କାଟି

ହସାଏ ଯେ ଗାଆଁଗଣ୍ଡା।


ମୋ ସାନ୍ନଧ୍ୟ ଲଭି ତରାଟ,ଟଗର

କୁରେଇ,କାମିନୀ, ମଲ୍ଲୀ

ମାଳତୀ,କଦମ୍ବ, କିଆ, କେତକୀରେ

ସୁରଭିତ ପୁରପଲ୍ଲୀ।


ବାଡି ବଗିଚାରେ କଖାରୁ,କାକୁଡି

ଭେଣ୍ଡି,ଜହ୍ନି ଫୁଲ ଶୋଭା

ରଥଯାତ୍ରା,ରାକ୍ଷୀ ପୂର୍ଣ୍ଣିମା ଝୁଲଣ

ଆହା! କେଡେ ମନଲୋଭା।


ମୋ ଜଳେ ଭସାଇ କାଗଜ ବୋଇତ

ଗାଇ ଅତୀତର ଗାଥା

ଶିଶୁଙ୍କର ହସ ଦେଖି ଉଲ୍ଲସିତ

ଗୁରୁଜନ ,ପିତାମାତା।


କେବେ ଡାକି ଆଣି ଦୁର୍ବିପାକ ସବୁ

ହୁଏ ଦୁଃଖର କାରଣ

ବର୍ଷାଝଡି ସହ ଘଡ଼ଘଡି ଶବ୍ଦ

ଥରାଏ ସବୁରି ପ୍ରାଣ ।


ମାତ୍ରାଧିକ ଜଳ ଉଛୁଳାଇ ନଦୀ

ନାଳକୁ କରେ ଅଥୟ

କୃତ୍ରିମ ସାଗର ଭ୍ରମ ଆସେ ମନେ

କରେ ବନ୍ୟା ବିପର୍ଯ୍ୟୟ।


ମାଟି ଅତଡା ଖସେଇ ପାହାଡ଼ରୁ

 ବନ୍ଦ କରେ ରାସ୍ତାଘାଟ

ଜନଶୂନ୍ୟ ହୁଏ ପାଖାପାଖି ସ୍ଥାନ

ଦେଖେ ମିରିଗଙ୍କ ନାଟ।


ସଂକ୍ରମିତ ଜଳ ମହାମାରୀ ସାଥୀ

ଲୋକଙ୍କୁ କରି ହତାଶ

ଭାସେ ଚାରିଆଡ, ବୁଡେ ଧାନ କ୍ଷେତ

ଚାଷୀ ଛାଡେ ଚାଷବାସ।


ଭାଙ୍ଗିଦିଏ ଯେତେ ଗଢ଼ିଦିଏ ସେତେ

ପାଣି ଫୋଟକା ସୁଅରେ

କ୍ଷଣ ଭଙ୍ଗୁର ଏ ଅଳୀକ ସଂସାର

ବାରତା ଦିଏ ମହୀରେ।


ମନୁଷ୍ୟ ସମାଜ ପ୍ରକୃତି କାର୍ଯ୍ୟରେ

ବାଧା ଦିଏ ବାରମ୍ବାର

ଅତିବୃଷ୍ଟି କିମ୍ବା ଅନାବୃଷ୍ଟି ପାଇଁ

ପଥ କରେ ପରିଷ୍କାର।


ଅଟେ ମୋ କାମନା ସଭିଙ୍କର ସୁଖ

କରିବି ସଂସାର ହିତ 

ଭରିବି ସାମର୍ଥ୍ୟ ସବୁରି ଦେହରେ

ହସିବ ସାରା ଜଗତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action