ମୋ ମନର ମାନସୀ ସୁନା ଇଲିଶି
ମୋ ମନର ମାନସୀ ସୁନା ଇଲିଶି
ମୋ ମନର ମାନସୀ ସୁନା ଇଲିଶି
ଖେଳେ ପ୍ରେମର ଗଭୀର ଜଳେ ପଶି,
ହୃଦୟର ତରଙ୍ଗାୟିତ ସାତ ସମୁଦ୍ର
ତେର ନଈରେ ଝଲସେ ଦିବାନିଶି।
ସଂସାରର ମାୟା ଜାଲରେ ପଡ଼େନା
ଯେମିତି ଘେରିଲେ ଯାଏ ଖସି,
କହି ଦେଲେ ତାକୁ କିଛି ଯାଏ ରୁଷି
ମୋ ମନର ମାନସୀ ସୁନା ଇଲିଶି।
ସପନେ ଆସେ ପହଁରି ପହଁରି
ଭାଙ୍ଗିଦିଏ ଗାଢ଼ ନିଦ ଧିରେ ଆଉଁସି,
ଦେଖାଏ କେତେ ରୂପ ରଙ୍ଗର ଛବି
ଆଶା ଭରିଦିଏ ସେ ଭାବ ପ୍ରକାଶି।
ତା' ପ୍ରୀତିର କୁହୁକେ ନିଏ ଆକର୍ଷି
ପାଟି ଫିଟେନା ନିଶ୍ଚଳରେ ଥାଏଁ ବସି,
ମୁଁ ଚାହିଁ ରହିଥାଏ ହୋଇ ଉଦାସୀ
ମୋ ମନର ମାନସୀ ସୁନା ଇଲିଶି।
ମୁଁ ତାକୁ ଭଲପାଏ ଜୀବନ ଦେଇ
ସ୍ବାଗତ କରେ ବସାଇ ଶୁଭ କଳସୀ,
ତା' ରୂପ ଗୁଣରେ ହୁଏଁ ମୁଁ ଭାବ ବିହ୍ବଳ
ଶିହରଣର ଆନନ୍ଦେ ଉଠେ ଉଲ୍ଲସି।
ପ୍ରାଣର ସ୍ପନ୍ଦନରେ ହୁଏ ଗୁଞ୍ଜରିତ
ଭାବନାର ସୁଅରେ ଯାଏଁ ଭାସି ଭାସି,
ସପନ ହୁଏନା ସତ ଭାବିଲେ ବସି
ମୋ ମନର ମାନସୀ ସୁନା ଇଲିଶି।
ବାସ୍ତବ ଜ୍ଞାନର ସୂର୍ଯ୍ୟ ଉଇଁ ଆସି
ଚେତନା ଭରିଦିଏ ହୃଦୟ ପରଶି,
ଠିକ୍ କର୍ମ କଲେ ସଫଳ ହୁଏ ଆଶା
ପାରେ ଯେ ତା' ଆତ୍ମଶକ୍ତିକୁ ବିକାଶି।
ଜୀବନରେ ତାକୁ ହିଁ ମିଳେ ହସଖୁସି
ଚଳୁଥାଏ ଯିଏ ସବୁରି ସାଥୀରେ ମିଶି,
ପ୍ରେମର ବରଷା ଧାରା ପଡ଼େ ବରଷି
ମୋ ମନର ମାନସୀ ସୁନା ଇଲିଶି।

