ତୁମେ ଆଉ ମୁଁ
ତୁମେ ଆଉ ମୁଁ
ଲେଖନ୍ତନି କବି
ଭାବନାରେ ହଜି
କବିତାଟିଏ ମୋ ପାଇଁ
କରନ୍ତିନି ଅଳି
ରାତି ପାଶେ ଯାଇ
ଶାନ୍ତିରେ ଯାଆନ୍ତି ଶୋଇ.
ଶବ୍ଦ ସବୁ ଆସି
ପ୍ରଜାପତି ପରି
ଗାଆନ୍ତେ ମଧୁ ସଂଗୀତ
ମହକି ଯାଆନ୍ତା
ମୋ ଶେଜ ସୁପାତି
କ୍ଲାନ୍ତି କରି ନିର୍ବାସିତ.
ଲୋଡ଼ା ନାହିଁ ସ୍ୱପ୍ନ
ଭରିବାକୁ ରଙ୍ଗ
ସାରାରାତି ଅଭିସାରେ
ଭରିଛି ହୃଦୟ
ପ୍ରୀତି ସ୍ପର୍ଶ ତୁମ
ଅଭୁଲା ଅଲିଭା ଗାରେ.
ନିଦ ଟିକେ ପାଇଁ
ରାତିପାଶେ ଯାଇ
କରିଛି କେତେ ମୁଁ ଅଳି
ଝରିଛି ଲୋତକ
କେଜାଣି କେତେ ଯେ
ଉଜାଗରେ ଦୀପ ଜାଳି
ତୁମେ ଯାଦୁଗର
ଶବ୍ଦର ସହରେ
ହୃଦ ଉପବନ ମାଳୀ
ତୁମ ଲେଖନୀରେ
ଅପୂର୍ବ ପ୍ରଶାନ୍ତି
ହୃଦୟ ପାରିଛି କଳି.
ଅନ୍ଧାର ଆସିଲେ
ଶୂନ୍ୟତା ଭରଇ
ଲାଗେ ଭାରି ଏକା ଏକା
ଖଦ୍ୟୋତିକା ସାଜି
ଶବ୍ଦର ଆଲୋକ
ସାଜନ୍ତ ମୋ ପ୍ରାଣସଖା.

