STORYMIRROR

Satchidananda Bastia

Romance

3  

Satchidananda Bastia

Romance

ସେଥିପାଇଁ ଭଲପାଏ

ସେଥିପାଇଁ ଭଲପାଏ

1 min
147

ଅମରାବତୀର ଭବ୍ଯ ପାରିଜାତ, 

ମରତେ ପଡିଲୁ ଖସି।

ବିମର୍ଷ ଧରଣୀ କଲୁ ରାଜରାଣୀ,

କେମିତି ଲୋ ବାରମାସୀ। 

ଶ୍ୟାମଳ ତନୁରେ ବର୍ଣ୍ଣାଳୀର ଛଟା,

ଆଙ୍କି କଲୁ ମନୋହର।

ନରମ ଓଠରେ ତୋ ବଧୂଲି ହସ,

ଦେଖି ମୁଗ୍ଧ ଚରାଚର।

କଲୁ ତୁ ଚିତ୍ରିତ କେତେ ରଙ୍ଗେ କହ,

ଧରା ଲାଗେ ଚନ୍ଦ୍ରାତପ। 

ବିହ୍ବଳ ବି ହୁଏ ଆକାଶ ନୀଳିମା,

ନିରେଖି ତୋର କଳାପ।

ତପ୍ତ ନିଦାଘରେ ରକ୍ତ କିଂଶୁକ ତୁ,

ରଙ୍ଗରେ ସଜାଉ ଜୁଡ଼ା। 

ହିରଣ୍ୟ ସୁପର୍ଣ୍ଣ ହୋଇ ଝୁଲୁଥାଉ,

ହସୁ ହୋଇ କୃଷ୍ଣଚୂଡ଼ା ।

ବରଷା ଆଗମେ ପ୍ରୀତିର କଦମ୍ବ, 

ହୋଇ ନିପେ ଯାଉ ଫୁଟି।

କିଆ କେତକୀର ମଧୁର ମହକ,

ହୋଇ ପାଶେ ଆସୁ ଛୁଟି।

ସ୍ନିଗ୍ଧ ଶରତରେ ଝୁମୁଥାଉ ହୋଇ,

ଶତରୂପା କାଶତଣ୍ଡି।

ହୈମ ହେମନ୍ତରେ ସୋରିଷଫୁଲ ତୁ,

କ୍ଷେତେ ହୋଇଥାଉ ମଣ୍ଡି।

ଶୀତ ସକାଳରେ ଗୋଲାପ ଡାଲିଆ, 

ରାତିରେ ଗଙ୍ଗଶିଉଳୀ।

ବସନ୍ତ ଛୁଇଁଲେ ସବୁଜ ବିପିନେ, 

ଫୁଟିଯାଉ ଭଳି ଭଳି।

ଆକାଶ ସୁନ୍ଦର ଦିଶେ ସିନା ଯେବେ,

ଫୁଟିଯାଏ ତାରାଫୁଲ। 

ଉର୍ବୀ ଅପଘନେ ତୋର ଆଭୁଷଣ, 

ଭରେ ସତେ କି ଔଜଲ୍ୟ।

ତୋ ରୂପ ଚମକ ମଧୁର ମହକ,

ବିହ୍ବଳ କରେ ସଂସାର। 

କେତେ କୌଶଳରେ ଗଢ଼ିଅଛି ବିହି,

ଭାବି ମୁଁ ହୁଏ ବିଭୋର।

ଲାଳିତ୍ୟ ପ୍ରଶ୍ରିତ ଯତନେ ମିଶ୍ରିତ, 

ତୁ କୋଟି ଲାବଣ୍ୟ ନିଧି।

ତୋର ମାଧୁରିମା ଦେଖି ବିହ୍ବଳିତ,

ହେଉଥିବ ବୋଧେ ବିଧି।

ମୁଁ ସିନା ଅବୋଧ ବିଭୁ ତ ବିମୁଗ୍ଧ, 

ହୋଇ ରହିଥାଏ ଚାହିଁ।

ତୋର ସଂଦର୍ଶନ ଅଭିପ୍ସାରେ ନିଶ୍ଚେ,

ପୁନର୍ଜନ୍ମ ନେବି ମୁହିଁ।

ତୋ ସୌମ୍ୟ ସୌନ୍ଦର୍ଯ୍ଯ ଗୁଣର ଔଦାର୍ଯ୍ୟ,

ପ୍ରାଣେ ପ୍ରାଣେ ଛୁଇଁଯାଏ। 

ସୁମନ ଗୋ ଭୁଲି ପାରେନାହିଁ ତୋତେ,

ସେଥିପାଇଁ ଭଲପାଏ।

   


Rate this content
Log in

Similar oriya poem from Romance