ତମ କଥା ଭାରି ମନେ ପଡ଼େ
ତମ କଥା ଭାରି ମନେ ପଡ଼େ
ଅଲିଅଳୀ ଉଷା ଯେବେ
ସଜ ସ୍ନାନ ସାରି
ସୂରୁଜକୁ ବିନ୍ଦି କରି
ଆସେ ଥିରି ଥିରି
ସୁନେଲି କିରଣ ଯେବେ
ଅଗଣାରେ ପଡ଼େ
ତମ କଥା ଭାରି ମନେ ପଡ଼େ ।
ଝୀନ ବାସେ ବସୁମତୀ
ଫୁଲ ତୋଳି ଯାଏ
ପବନ ଦୋଳିରେ କଳି
ଅଳିକୁ ଖତାଏ
ସାତ ରଂଗୀ ପ୍ରଜାପତି
ଫୁଲେ ଫୁଲେ ଉଡ଼େ
ତମ କଥା ଭାରି ମନେ ପଡ଼େ ।
ଗାଧୁଆ ତୁଠରେ ଗୋରୀ
ପଛ କରି ବସେ
ସରମେ ସରମୀ ଲତା
ଚୁପି ଚୁପି ହସେ
ହଳଦୀ ଲଗେଇ ଗୋରା
ଦେହୁ ମଳି କାଢ଼େ
ତମ କଥା ଭାରି ମନେ ପଡ଼େ ।
ସଜ ହୋଇ ସଜବତୀ
ମନ୍ଦିର କୁ ଯାଏ
ଖାଲି ପାଦେ ପୂଜା ଥାଳି
ଧରି ଚାଲୁ ଥାଏ
ମୁକୁଳା ବହଳ କେଶ
ପବନରେ ଉଡ଼େ
ତମ କଥା ଭାରି ମନେ ପଡ଼େ ।
ଲେଉଟାଣି ଖରା ବେଳେ
ଛାଇ ଠାବେ ଠାବେ
ନିର୍ଜନରେ ପ୍ରିୟା ବସି
ପ୍ରିୟ କଥା ଭାବେ
ନିରେଖେଇ ଚାହିଁ ଦେଲେ
ଆମ୍ବ ତୋଟା ଆଡ଼େ
ତମ କଥା ଭାରି ମନେ ପଡ଼େ ।
ଗୋଧୂଳି ଲଗନେ ଫେରେ
ଗୋରୁ ପଲ ଘେନି
ଭାସିଆସେ ଗାଈଆଳ
ବେସୁରା ରାଗିଣୀ
ସାରାଦିନ ବୁଲି ବୁଲି
ପକ୍ଷୀ ଫେରେ ନୀଡ଼େ
ତମ କଥା ଭାରି ମନେପଡ଼େ ।
ଖିଆ ଲୁଗା ଧୁଆ ହେଲା
ଧୁଆ ଲୁଗା ପିନ୍ଧି
ଗଭାରେ ରଚନୀଗନ୍ଧା
ଆସେ ସଂଧ୍ୟା ବାନ୍ଧି
ଭୁଆସୁଣୀ ଲାଜ ଟାଣି
ସଂଧ୍ୟା ଯେବେ ବାଢ଼େ
ତମ କଥା ଭାରି ମନେପଡ଼େ ।
ବିଜନ ବେଳାରେ ବସି
ଗଣୁ ଥାଏ ତାରା
ଦୂରେ ଥାଇ ତୁମ ଛାଇ
କରୁଛି ଟାପରା
ମେଘ କାନି ତଳୁ ଯେବେ
ଜହ୍ନ ମୁହଁ କାଢ଼େ
ତମ କଥା ଭାରି ମନେପଡ଼େ ।
ଏକା ଏକା ବିଛଣାକୁ
ଶୋଇ ଗଲା ବେଳେ
ବିରହ, ଗଜଲ ଗାଇ
ଝଙ୍କାର ତୋଳେ
ପଛ କଥା ଭାବୁ ଭାବୁ
ନିଦ ଯେବେ ମାଡ଼େ
ତମ କଥା ଭାରି ମନେପଡ଼େ ।
ସ୍ମୃତି ସବୁ ଫେରୁ ଥାନ୍ତି
ପାହାନ୍ତି ପ୍ରହରେ
ନିଦ ଭାଙ୍ଗେ ତମେ ଯେବେ
ଆସ ସପନରେ
ରାତି ଥାଏ ପାହିବାକୁ
ଆହୁରି ପହଡ଼େ
ତମ କଥା ଭାରି ମନେପଡ଼େ ।
କୁଆଁ ତାରା କଇଁକଇଁ
କାନ୍ଦୁ ଥବା ବେଳେ
କଳା କାଉ ରାଉରାଉ
ବସି ଥୁଣ୍ଟା ଡାଳେ
ନପାଇ ପ୍ରୀତି ଶେଫାଳି
ଯେବେ ଝରି ପଡ଼େ
ତମ କଥା ଭାରି ମନେ ପଡ଼େ ।
ନିର୍ମମ ନିଦାଘ ଦାଉ
ଯନ୍ତ୍ରଣା ବହୁତ
ନିରୋଳାରେ ଝାଉଁ ବଣ
ଗାଉ ଥାଏ ଗୀତ
ଗୀତ ଶୁଣି ବାକୁ ଭାବି
ଯେବେ ବସି ପଡ଼େ
ତମ କଥା ଭାରି ମନେ ପଡ଼େ ।
ରଜ ଆସେ ସଜ ହେଇ
କୁଆଁରୀ ବେଶରେ
ବେଦରଦୀ ମନ ରହେ
କାଉଁରି ଦେଶରେ
ବର୍ଷା ରାଣୀ ଆସେ ଯେବେ
ପହିଲି ଆଷାଢ଼େ
ତମ କଥା ଭାରି ମନେ ପଡ଼େ ।
କାଶତଣ୍ଡୀ ରହି ରହି
ଖଣ୍ଡିକାଶ ମାରେ
ଜହ୍ନିଫୁଲ ଠୋ ଠା
ହସି ହସି ମରେ
ଶିଶିର ଅଧିର ହେଇ
ଯେବେ ଝରି ପଡ଼େ
ତମ କଥା ଭାରି ମନେ ପଡ଼େ ।
ଅସରା ପସରା ଧରି
ଦଶରା ତ ଆସେ
କୁଆଁରା ଜହ୍ନକୁ ଚାହିଁ
କୁଆଁରୀ ତ ହସେ
ଋତୁସ୍ନାତା ଦୂରେ ଥାଇ
ଯେବେ ମୁହଁ ମୋଡ଼େ
ତମ କଥା ଭାରି ମନେ ପଡ଼େ ।
କାଳୀ ରୂପେ କାତାୟନୀ
ଆବିର୍ଭୂତା ହେଲେ
କାର୍ତ୍ତିକର କୀର୍ତ୍ତି ନେଇ
ସାଧବ ଚଳିଲେ
ସାଧବାଣୀ ହଜି ଯାଏ
ବାଲିଯାତ୍ରା ଭିଡ଼େ
ତମ କଥା ଭାରି ମନେ ପଡ଼େ ।
ଶୀତ ଆସେ ଗୀତ ଗାଇ
ଚାଦର ଘୋଡ଼େଇ
ଅଲାଜୁକୀ ଝିଅ ପରି
ଯାଉଛି ଜଡ଼େଇ
ଦେହ ଥରେ ମନ ଥରେ
ବୃକ୍ଷୁ ପତ୍ର ଝଡ଼େ
ତମ କଥା ଭାରି ମନେ ପଡ଼େ ।
ଫଗୁଣର ଫଗୁ ଧରି
ଆସନ୍ତି ମଦନ
ଚଇତି ଘୋଡ଼ାରେ ଆସେ
ଚଇତି ପବନ
ଲୁଚି ଲୁଚି ଚିଠି ଯେବେ
ନବବଧୂ ପଢ଼େ
ତମ କଥା ଭାରି ମନେ ପଡ଼େ ।
ଚିହ୍ନା ମୁହଁ ଭୁଲି ଯେବେ
ତୁମକୁ ଆଦରେ
ସୁଖ ଭାବି ଚାପି ଦେଲି
ଦୁଃଖକୁ ପାଦରେ
ମୁଣ୍ଡ ଝାଳ ଗଣ୍ଡ ଦେଇ
ତୁଣ୍ଡେ ଝରି ପଡ଼େ
ତମ କଥା ଭାରି ମନେ ପଡ଼େ ।
ଅଦିନିଆ ଝଡ଼ ଯେବେ
ଭାଙ୍ଗି ଦେଲା ନୀଡ଼
ସଂପର୍କର ମଝି ଦାଣ୍ଡେ
ପଡ଼ି ଗଲା ବାଡ଼
ପଡ଼ୋଶୀ ଝିଅଟା ଯେବେ
ଚାହେଁ ମୋ ଆଡ଼େ
ତମ କଥା ଭାରି ମନେ ପଡ଼େ ।