STORYMIRROR

Bibhutibhusan Majhi

Romance Inspirational Others

4  

Bibhutibhusan Majhi

Romance Inspirational Others

ଅରମାନ

ଅରମାନ

2 mins
238

ରହିଯା ନୋହିଲେ   ଧୀରେ ବହି ଚାଲ

        ସମୟର ଖର ସୁଅ

କହୁଛି ତୋ କାନେ   ଅଧୁରା ସପନେ

     କେତେ ଯେ ଆଣନ୍ତି କୋହ ।୧।

ଖୋଜି ସୁଖ ଧାମ    କର୍ତ୍ତବ୍ଯ କରମ 

        ପରମ ଧରମ ବୋଲି

ସ୍ୱଜନ ବାନ୍ଧବ      ବିଶ୍ୱ ଯେ କୁଟୁମ୍ବ

       ହିତେ ଦିନ ଗଲା ଚାଲି ।୨।

ଏ ନୁହେଁ ଏ ନୁହେଁ  ଖୋଜୁ ଖୋଜୁ ମୋହେ

         ବିଷୟ ଗହନ ବନେ

ଅନେକ ପିପାସା    ଅଗଣିତ ଆଶା

        ଅପୂର୍ଣ୍ଣ ରଖିଛି ମନେ ।୩।

ତମାଳର ବନ      ସ୍ନିଗ୍ଧ ସମୀରଣ

        ଶ୍ରଦ୍ଧା ପଲ୍ଲବ ବିଛାଇ

ଧୀରେ ଘେନି କୋଳେ  କୋମଳ କୁନ୍ତଳେ

        କାହିଁ ତ ନାହିଁ ସଜାଇ ।୪।

ଚଞ୍ଚଳ ନୟନ       ଲୁକ୍କାୟିତ ଘନ

        ଆଲୁଳାୟିତ କେଶରେ

ବାକିଥିଲା ତୁମ       ମୁଖ ଅପ୍ରତିମ

      ଦେଖିବାକୁ ନିରୋଳାରେ ।୫।

ହୃଦୟର ବ୍ଯଥା       ମନ ତଳ କଥା

       କହିବି କହିବି ବୋଲି

ଖୋଜୁଛି ସେ ବେଳ     କଦମ୍ବର ମୂଳ 

       ହୃଦୟ ଦେବି ଢାଳି ।୬।

ସୁନ୍ଦର ଏ ଧରା      ସୂର୍ଯ୍ଯ ଚନ୍ଦ୍ର ତାରା

        ଜମୁନା ଜଳେ କିରଣ 

ମନେ ଭରେ ରାସ    ବାକିଅଛି ଆସ

       ଯାଚନା ଦିବ୍ଯ ଜୀବନ।୭।

ହତାଶା ବେଦନା     ଦୁଃଖ ନିର୍ଯ୍ଯାତନା

        ଥାଉ ପଛେ ମର୍ତ୍ତ୍ୟଧାମ

ଜନ ମୁଖେ ହସ      ଆଣିବା ଗୋ ଆସ

        ଆଦରିବା ପୁନର୍ଜନ୍ମ ।୮।

ନିଭାଇଣ ରୀତି       ସାରସ ଦମ୍ପତି

        ନିତି ବାହୁଡିବା ଦେଖି

ଜନ୍ମ ଜନ୍ମାନ୍ତର        ମିଳନ ମନ୍ତର

        ଜପିବାକୁ ବାକି ଅଛି ।୯।

ଏଇ ଯେ ତରଣି       ନଇଁ ଆସିଲାଣି

         ବହୁ ଆଶା ଅଳ୍ପ ବେଳ

ମନେ ଢାଳି ମନ       ଆସ ଅରମାନ

        ମେଣ୍ଟାଇଦେବା ସକଳ ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance