ଅଧୁରା ସପନ
ଅଧୁରା ସପନ


ତୁମେ ଥରେ ଆସିଥିଲ ସପନେ
ଲୁଚିଥିଲେ କୁଞ୍ଜବନେ ଗୋପନେ
ସଖାମାନେ ଭରମିଲେ
ସଖୀମାନେ ସରମିଲେ
ଅପେକ୍ଷାରେ ଥିଲେ ତେଣେ
ପିତା ମାତା ପୁରବାସୀ
ଦ୍ୱନ୍ଦମୟ ଦୁନିଆର ସୋପାନେ ।
ଶରତର ତାରାଙ୍କିତ ଗଗନ
ଚାନ୍ଦ ଆଉ କୁମୁଦର ମିଳନ
ଜ୍ଯୋତ୍ସ୍ନା ଯେବେ ଥିଲା ରତ,
କବରୀ ଆଲୁଳାୟିତ
ସଜାଡ଼ନ୍ତେ ଖୋଜେ ତୁମ
ହୃଦୟେ କି ବିରାଜଇ
ମୋ ନିବିଡ଼ ଶ୍ରଦ୍ଧା-ପ୍ରେମ-ବନ୍ଧନ ।
ଜାଣି ଭାବେ ଜଡ଼ିଥିବି ପଣତେ
କର୍ତ୍ତବ୍ଯ କରମ ଭରା ଜଗତେ
ବ୍ଯସ୍ତ ହେଲି ସହଜନ
ସୁଖେ ଦୁଃଖେ ରାତ୍ର ଦିନ
ହେଲେ ତୁମର ସ୍ମରଣ
ଶ୍ରଦ୍ଧା ସ୍ପର୍ଶ ଶିହରଣ
ସନ୍ତାପିତ ହୃଦ ଭରେ ଅମୃତେ ।
ମୃଦୁ ମୃଦୁ ମଳୟର ପରଶେ
ରବି କରେ କମଳର ଉଲ୍ଲାସେ
ବିକଶିଥିବା ସୁମନେ
ମଧୁ-ମକ୍ଷିକା ଗୁଞ୍ଜନେ
ମିଳନର ବଂଶୀସ୍ୱନେ
ତୁମେ ହିଁ ତୁମେ ଅନ୍ତରେ
ଦେଖେ ମଧୁମୟ ପ୍ରେମ-ଆକାଶେ ।
ରକ୍ତିମ ଓଠ ସଲ୍ଲଜ ନୟନ
ଅନ୍ତର ବେଦନା କରେ ବୟାନ
ଅବାରିତ ଉନ୍ମାଦନା
ମଧୁ ମିଳନ ବାସନା
କାଶତଣ୍ଡି ପୁଷ୍ପ-ଶଯ୍ଯା
ପାଏ ନାହିଁ ରାହା ପ୍ରିୟେ
କେମିତି କରିବି ମାନଭଞ୍ଜନ ।
କାମନା-ଲଜ୍ଯାବନତ ନୟନ
ଦର-କଣ୍ଠ ଦର-ହସ-ବଦନ
ସଦ୍ଯ ସ୍ଫୁଟ କୁସୁମରେ
ଭ୍ରମର ଭ୍ରମେ ଭ୍ରମରେ
ତେସନେ ଭ୍ରମଇ ମନ
ଉଷା ଉଦ୍ଦାମ କିରଣ-
ଚୁମ୍ବନ ରଖେ ଅଧୁରା ସପନ ।