ସୁଖର ସନ୍ଧାନେ
ସୁଖର ସନ୍ଧାନେ
ସୁଖ ଏକ ସୁନେଲି ସପନ
ଆଙ୍କି ଦିଏ କ୍ଷଣିକ ଛବିଟିଏ ମନ ଦରପଣେ
ଆସେ କେବେ ସଞ୍ଜର ହାଲୁକା ନିଦରେ
କେବେ ଉଙ୍କିମାରେ ମଧ୍ଯରାତ୍ରେ
ଆଉ କେବେ ସକାଳର ଅଳସ ଆଖିରେ
ଉଦୀୟମାନ ରବିଙ୍କର ଆଶାର କିରଣେ ।୧।
ସେଦିନ କିଏ ଆସିଲା, ଅଶନୀର ସ୍ୱନେ
ଝଡର ପ୍ରବାହରେ, ବତାସର ବେଗରେ
ସପ୍ତମ ସରଗର ଅବିଶ୍ରାନ୍ତ ଧାରା-ଆଶିଷରେ
ହେନା-ହଳଦୀ-ରଙ୍ଗା ଗୋରୀ ଗୋରୀ ହାତେ
ବାନ୍ଧି ଦେଇଗଲା ସପ୍ତ ଜନମ ନିମନ୍ତେ
ମିଳିତ ପ୍ରୟାସେ ଖୋଜିବୁଲୁ
କେଉଁଠି ରହିଛ, କିଏ ଥିଲ ତୁମେ ।୨।
ଖୋଜୁଥିଲୁ ଧର୍ମକ୍ଷେତ୍ର କର୍ମକ୍ଷେତ୍ରେ
ଦେଉଳ ଦୁଆରେ ସମାଜର କୋଣେ ଅନୁକୋଣେ
ସଂସାରର ପଥେ କର୍ତ୍ତବ୍ୟର ରଥେ
ହସି ହସାଇବା ପ୍ରୟାସର ମନୋରଥେ
ମାତ୍ର ଆଭାସିଲ ତୁମେ ହସରେ, କାନ୍ଦରେ
ସୁଖ ପିପାସୁ ମନର ଯୁଗ୍ମ ଦର୍ପଣରେ ।୩।
ଯେଉଁ ରୂପେ ହେଲ ଅବତଂଶ
ଜାଣୁନା ସୁଖ ସେ କି ଆକାଶ କୁସୁମ
ନଥିଲ କିନ୍ତୁ କ୍ଷଣିକ, ନଥିଲ ଅଳିକ
ଭରୁଥିଲ ମନେ ଯେଣୁ ବିଶ୍ୱାସ ଉଛ୍ୱାସ
ପ୍ରଜାପତି ମଙ୍ଗଳ ବିଧାନେ
ସତ୍ଯ ନିତ୍ଯ ବ୍ରହ୍ମମୟ ସୁଖର ସନ୍ଧାନେ
ତୁମେ କ’ଣ ଯୋଡ଼ିଥିଲ ଦୁଇଟି ପରାଣେ ।୪।
ହେ ସୃଷ୍ଟିକର୍ତ୍ତା ହେ ବିଶ୍ୱ ବିଧାତା
ସେହି ଅନୁଭବ ସେହି ଦିବ୍ଯ ଅନୁଚିନ୍ତା
ଭରିଦିଅ ମନେ ପ୍ରାଣେ କର୍ତ୍ତବ୍ଯ କରମେ
ଦୂରୀଭୂତ ହେଉ ବିଶ୍ୱ ଦୁଖଃ ଭୟ ବ୍ଯଥା
ଲେଖୁ ଭବ ରଙ୍ଗମଞ୍ଚେ ଦିବ୍ଯ ଭବ୍ଯ ଗାଥା
କୃପା ତୁମ ଝରୁଥାଉ ଜନମେ ଜନମେ ।୫।
