ଚାନ୍ଦ ପାଇଁ ପଦେ
ଚାନ୍ଦ ପାଇଁ ପଦେ
ବିକ୍ରମ ଯାଉ ପ୍ରଜ୍ଞାନ ଯାଉ
ସରଗ ଶଶୀ ମୋ ଚମକୁଥାଉ ।
ଶହେ ତାରା ଥିଲେ କ'ଣ ହେବ
ତୋ ଆଗମେ ଅମା-ରାତି ହରିବ ।
ତୋହ ପାଇଁ ଝୁରୁଥାଏ କୁମୁଦ
ପ୍ରେମ କରେ ଯିଏ ବୁଝେ ତା' ଭେଦ ।
ମୁହଁ ଯେବେ ତୋର ସମ୍ପୂର୍ଣ୍ଣ ଗୋଲ
ସାଗରଟା ଦେଖ କେଡେ ମାତାଲ ।
ଯେଉଁ ରାତିରେ ତୁ ନଥାଉ ନଭେ
କୁଦ ମାରୁଥାଏ ଦୁଃଖ ପ୍ରଭାବେ ।
ଯିଏ ହେବ ମାଆ ତୁ ତା'ର ଭାଇ
ହସି ହସି ମାମୁଁ ଦେବୁ ଶୁଆଇ ।
ଚାନ୍ଦିନୀ ରାତିରେ ଝରକା ଫାଙ୍କେ
ଉନ୍ମୁକ୍ତ କୁନ୍ତଳ ସଲଜ୍ଜ ମୁଖେ ।
ପଡ଼େ ଯେବେ ତୋର ସେନେହ କର
ବଢ଼େ ଶୋଭା ହରେ ମନ ମୋହର ।
ଚାନ୍ଦମୁହିଁ ବୋଲି ମୁଁ ଯେବେ କହେ
ଖେଳେନି କି ଶିହରଣ ତା' ଦେହେ ।
ଖାଲ କି କଳଙ୍କ ଯେ ଯାହା ଦେଖୁ
ଆପଣା ସ୍ୱଭାବ ନିଜେ ପରଖୁ ।
ଦୁଃଖ କରିବୁନି ସରଗ ଶଶୀ
ଲଗା ସଭି ମନେ ତୋ ପ୍ରେମ ରସି ।