ଶ୍ରାବଣୀ ଆସିଛି ଶ୍ରାବଣ ନେଇ
ଶ୍ରାବଣୀ ଆସିଛି ଶ୍ରାବଣ ନେଇ
ମେଘ ମହ୍ଲାର ଦରଶନେ କେକୀ
ନାଚୁଥିଲା ଯେବେ ପୁଚ୍ଛ ହଲାଇ ।
ଘନ ଘନ ଘନ ବରଷା ହୋଇଲା
ଶ୍ରାବଣୀ ଆସିଲା ଶ୍ରାବଣ ନେଇ ।
ଆଖିର ଚମକ ଚଞ୍ଚଳା ତାହାର
ପରିଧାନ କଳାମେଘୀ ବସନ ।
ଆଷାଢୀ ନାୟିକା ନେଇଛି ବିଦାୟ
ଶ୍ରାବଣୀ ଆଣିଛି ଧାରା ଶ୍ରାବଣ ।
ଆସିବା ଆଗରୁ ସବୁଜ ଶାଢୀରେ
ସଜାଇ ହୋଇଛି ଧରଣୀ ରାଣୀ ।
କୁସୁମିତ ହେଲା ବନ ଉପବନ
ସହଜେ ସୁବାସ ବିତରେ ଆଣି ।
ଶ୍ରାବଣୀ ଆସିଛି ଶ୍ରାବଣକୁ ନେଇ
ରଟିଲା ଧରାରେ ଚଉଦିଗରେ।
ସ୍ବାଗତ ଜଣାଏ ସାରୁଗଛ ମୂଳେ
ବେଙ୍ଗୁଲୀଟି ବସି ହୁଳହୁଳିରେ ।
ଟାଉ ଟାଉ ହୋଇ ସାଧବବୋହୁଟି
ପାଛୋଟି ଆସୁଛି ଶ୍ରାବଣୀଟିକୁ।
ଅଶନି ଗର୍ଜନ ପଡିଲା କାନରେ
ବରଷା ଆସିଲା ତାହା ପଛକୁ ।
ଲୁଚିଗଲା ଯାଇ ଘାସ ତଳେ ସିଏ
ଛାଡିଲା ବରଷା ଆସିଲା ଖରା ।
ଦେବରାଜଧନୁ ଶୋହିଲା ଆକାଶେ
ଅପରୂପ ରୂପ କି ମନୋହରା ।
ଶ୍ରାବଣୀ ଆସିଛି ଶ୍ରାବଣକୁ ନେଇ
ଆସେ ଚିତାଲାଗି ଅମାବାସିଆ ।
ରକ୍ଷାବନ୍ଧନର ପରବ ଆସୁଛି
ବଳଭଦ୍ର ପୂଜା ଓ ଗହ୍ମାଡିଆଁ ।
ଧାରା ଶ୍ରାବଣରେ ମୂଷଳ ଧାରାରେ
ବରଷେ ବରଷା କଦବା ପୁଣି।
ରିମି ଝିମି ହୋଇ ବରଷା ଜଣାଏ
ଶ୍ରାବଣ ଆଣି ଆସିଛି ଶ୍ରାବଣୀ ।
ଶସ୍ଯ ଶ୍ୟାମଳ ଏ ଧରଣୀ ହୁଅଇ
କାଗଜର ଡଙ୍ଗା ଶିଶୁ ଭସାଏ ।
ଖେଳଇ ଆନନ୍ଦେ ତିନ୍ତି ବରଷାରେ
ବରଷାକୁ ତା ଖାତର ନଥାଏ ।
ସବୁ ବରଷ ତ ଶ୍ରାବଣୀ ଆସୁଛି
ଶ୍ରାବଣକୁ ନେଇ ସାଥିରେ ତାର ।
ଏହିପରି ସଦା କାଳ ପ୍ରଭାବରେ
ଆସୁଥିବ ସଦା ସେ ବାରମ୍ବାର ।

