STORYMIRROR

Bibhutibhusan Majhi

Classics Inspirational Others

4  

Bibhutibhusan Majhi

Classics Inspirational Others

ଗୁରୁ ତୁମେ ପରଂବ୍ରହ୍ମ

ଗୁରୁ ତୁମେ ପରଂବ୍ରହ୍ମ

1 min
300

ଜୀବନ କିଆରିରେ ସାଜି ମୁଁ ଆରୁଣି

ଶିରୋଧାର୍ଯ୍ଯ କରି ଗୁରୁ ବାଣୀ

ଆପଣାର ସାଧ୍ଯମତେ ଭୁଲି ରାତି ଦିନ

ବାନ୍ଧି ରଖିଲି ମୁଁ ଢ଼ାଳି ତନ ମନ,

ବନ୍ଧନର ହିଡ଼, ସମ୍ପର୍କର ନିର 

ବେଦଜ୍ଞ କଲ ହେ ଗୁରୁ ଜିଣିଲି ସଂସାର।୧।


ମୁଁ ଅଭିମନ୍ଯୁ ଗୁରୁ ଯଶୋଦା-ନନ୍ଦନ

ନଖାଗ୍ରେ ଟେକି ପାରନ୍ତି ଗିରି ଗୋବର୍ଦ୍ଧନ

ଚକ୍ରବ୍ଯୁହରୁ ନିକାଶ ଦେଲେନାହିଁ ଜ୍ଞାନ

ସେଦିନ ଫେରିବି ସ୍ୱର୍ଗେ ଥିଲା ଯେଣୁ ପଣ

ଧର୍ମକ୍ଷେତ୍ର ସମ୍ଭାଳିଲି ଥିବାଯାଏ ଜୀବ

ରଖେ ଯଶ ରୋକେ ଗୁରୁ ପ୍ରଳୟ ତାଣ୍ଡବ ।୨।


ଆଶା-ଅଭିପ୍‌ସା-କାମନା ଇର୍ଷା-ଦ୍ୱେଷଭରା

ଦୁନିଆ ବନସ୍ତେ ଖୋଜିଲି ଗୁରୁଙ୍କ ସାହାରା

ତୁମ ମହାନ ପ୍ରତିମା ଆଶିଷର ବଳେ

ମୁଁ ଏକଲବ୍ଯ ଶିଖେ ଧନୁର୍ବିଦ୍ଯା ଛଳେ

ଗୁରୁ ତୁମ ମହିମା ନଜାଣେ

ଶିକ୍ଷା ଦେଲ ଶ୍ରେୟ ବଳିଦାନେ 

ଚାଲଇ ସୃଷ୍ଟିରେ ସ୍ଯନ୍ଦନ ଶାନ୍ତିର

କାଳଜୟୀ କଲ ଗୁରୁଦକ୍ଷିଣା ମୋହର ।୩।


ମୁଁ କର୍ଣ୍ଣ, ମହାସତୀ କୁନ୍ତିଙ୍କର ଖିଆଲି ନନ୍ଦନ

ବିଦ୍ଯା ଲୋଭେ କହିଥିଲି ଜାତିରେ ବ୍ରାହ୍ମଣ

ଶିଷ୍ଯ କଲେ ମହାବତାର ପର୍ଶୁରାମ

କାଳ ବୃଶ୍ଚିକ କଲା ଭାଗ୍ଯ ବାମ

ମହା ଧନୁର୍ଦ୍ଧର ହୋଇ ହାରିଲି ସଂଗ୍ରାମ

ଭୋଗିଲି ଗୁରୁଦେବେ କପଟର ପରିଣାମ ।୪।


ଗୁରୁତୁମେ ପରଂବ୍ରହ୍ମ ସର୍ବ ଧର୍ମମୟ

ଜଡତ୍ୱ ବିନାଶି କର ସୁଜ୍ଞାନ ଉଦୟ

ଦୁର୍ଗମ ଭବ-ସରଣୀ କର ଭବ୍ଯ, ପୁଷ୍ପମୟ 

ଶିଷ୍ଯେ କର ସ୍ଥିତପ୍ରଜ୍ଞ ଅମର ଅଜେୟ

ପ୍ରାପ୍ତ ହୁଅ ଜନ୍ମେ ଜନ୍ମେ ପ୍ରାରବ୍‌ଧର ବଳେ

ଦେଉଥାଅ ଅଭୟ ଶରଣ ପାଦତଳେ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics