ଜାଣି ନଥିଲି ଗୋସାଇଁ
ଜାଣି ନଥିଲି ଗୋସାଇଁ
ଭାବିଥିଲି ମନେ ସରଳ ସୁଗମ ରାସ୍ତାରେ ଚାଲିବି ବୋଲି
କର୍ଦ୍ଦମାକ୍ତ ଖାଲ କଣ୍ଟକିତ କଲ ରକ୍ତେ ଜୁଡୁବୁଡୁ ହେଲି
ଜାଣି ନଥିଲି ଗୋସାଇଁ
ସଂଶୟ ହତାଶା ନିକାଶି ଦିବ୍ୟାଶା
ଭରି ଦେବ ମୋର ଦେହି ।୧।
ସହଜନ ମେଳେ ଆନନ୍ଦ ବିହ୍ୱଳେ ଜୀବନର ଉପବନ
ସଜାଇବାକ୍ରମେ ଉଚ୍ଚ ନୀଚ ଜମି କରଇ କେତେ ସମାନ
ଜାଣି ନଥିଲି ଗୋସାଇଁ
ବହିଯିବା ସ୍ୱେଦ ଧୀରେ ଧୋଇନେବ
ପୌରୁଷତାର ବଡ଼େଇ ।୨।
ମନ ପ୍ରାଣ ଦେଇ କର୍ମେ ବ୍ୟସ୍ତ ହୋଇ ଗୃହସ୍ଥ ଧର୍ମ ନିଭାଏ
ସ୍ୱଜନ ବାନ୍ଧବ ଦୁଃଖ ପରାଭବ ନୀରବରେ ସହିଯାଏ
ଜାଣି ନଥିଲି ଗୋସାଇଁ
ଧନ ଜନ ଗୋପ କାର୍ପଣ୍ୟ ଅମାପ
ଦେବ ମୋ କୁଞ୍ଜ ସଜାଇ ।୩।
ତୁମ ରୂପ ପାଇ ତଥାପି ସଜାଏ ଶରୀର ମୋ ପ୍ରସାଧନେ
କ୍ଷଣିକ ଆନନ୍ଦ ଆହରଣେ ବ୍ୟସ୍ତ ହର୍ଷ ଉଲ୍ଲସିତ ମନେ
ଜାଣି ନଥିଲି ଗୋସାଇଁ
ଏକା ପ୍ରିୟା ମେଳେ ତରି ଭବଜଳେ
ଆନନ୍ଦେ ଦିନ କଟଇ ।୪।
ଗରିମା ନଛାଡେ ବଡିମା ଉହାଡେ କର୍ତ୍ତା ନିଜକୁ ବୋଲାଇ
ତୋଳିଲି ଯଶର ଭ୍ରମ ବାଲିଘର ହେବିବୋଲି କାଳଜୟୀ
ଜାଣି ନଥିଲି ଗୋସାଇଁ
ତୁମର ସଙ୍ଗତ ସୁଖ ଅପ୍ରମିତ
ପରମାର୍ଥକୁ ମିଳଇ ।୫।
ତୋ ଚରଣ ରେଣୁ ତୋ ମୋହନ ବେଣୁ ମନେ କରେ ଉଜାଗର
ବିଶ୍ୱାସ ଭକତି ପ୍ରେମ ସୁଖ ଶାନ୍ତି ସୁଧାମୟ ଏ ସଂସାର
ଜାଣି ନଥିଲି ଗୋସାଇଁ
ନିର୍ଲିପ୍ତ ନିଷ୍କାମେ କରମ ସାଧନେ
ତ୍ରିତାପ ଯାଏ ଦୂରେଇ ।୬।
ଜାଣେନା ଗୋସାଇଁ କେତେଦିନ ପାଇଁ ଅତିଥି କରିଛ ମୋତେ
କାମନା କବଳେ ଭାସେ ଭବ ଜଳେ ଭୁଲିଲି ନାମ ନିରତେ
ଯେତେ ଦିନ ଅଛି ବାକି
ଶୟନେ ସପନେ ଜାଗରଣେ ସଦା
ରୁହ ମୋ ନୟନେ ଲାଖି ।୭।