ସଳିତା
ସଳିତା
ଟିକି ଅବୟବେ ମହାନ ଯେ ଭାବେ
ଭବେ ଆୟୁ ଲଭି ଥାନ୍ତି
ସଳିତାଟି ଟିକି ଦେହେ ଶିଖା ଟେକି
ବିତରେ ଆଲୋକ - ଶାନ୍ତି ।
ଜଳେ ଦୀପ କୋଳେ ପଡ଼ି ତା' ତଇଳେ
ଆଲୋକ ଦିହୁଡ଼ି ଟାଣି
କରଇ ଚକିତ ପ୍ରାଣ ପୁଲକିତ
ସତେ କିବା କ୍ଷୁଦ୍ର ପ୍ରାଣୀ ।
କ୍ଷୁଦ୍ର ହେଲେ ସୁଦ୍ଧା ଟେକି ଦୀପ ଶିଖା
ଶିଖାଇ ଯାଏ ଜୀବନେ
କ୍ଷୁଦ୍ର ମଧ୍ୟେ ଲୁଚି ରହି ଥାଏ ନିତି
ସ୍ୱାଭିମାନ ସଂଗୋପନେ ।
ଟିକି ହେଲେ ବି ସେ ଜଳି ଜଳି ନାଶେ
ଗାଢ଼ ଘନ ଅନ୍ଧକାର
ଆଲୋକ ଉତ୍ତାପ ଦେଇ ସେ ଅମାପ
ହିତ ସାଧି ଜଗତର ।
ସଳିତା ପ୍ରକାର ପ୍ରତ୍ୟେକ ଶରୀର-
- ବତୀଟି ପ୍ରକାଶେ ଜ୍ୟୋତି
ସଳିତା ରେ ତୈଳ ଖାଦ୍ୟ ଯେ ପ୍ରକାର
ଖାଇ ସେ ଅରପେ ଦ୍ୟୁତି ।
ସେହି ପରି ପ୍ରତି ଜୀବ ଓ ଉଦ୍ଭିଦ
ଶରୀର ସଳିତା ପରି
ଖାଦ୍ୟ ଓ ପ୍ରଶ୍ୱାସ , ହେତୁରୁ ପ୍ରକାଶ
ଥାଆନ୍ତି ସର୍ବେ ବିତରୀ ।
ଜଳି ଜଳି ଯାଏ ଆଲୋକ ଦେଖାଏ
ଶିଖାଏ ଅଶେଷ ଭାବ
ଟିକି ସଳିତାଟେ ପ୍ରଦୀପର ତଟେ
ନିତି ନିତି ଅଭିନବ ।
ଉଦ୍ଭାସେ ଉଜ୍ଜ୍ବଳ କରି ଥାଏ ତୈଳ
ଦୀପେ ଥାଏ ଯେତେ କାଳ
ଖାଦ୍ୟ ଓ ପ୍ରଶ୍ଵସ ଶେଷେ ଶେଷ ଶ୍ୱାସ
ତେଜନ୍ତି ଜୀବ ସକଳ ।
ସେହି ପରି ନୀତି ଜଗତରେ ନିତି
ତତ୍କ।ଳେ ଅବା ବିଲମ୍ବେ
ଅନୁରୂପ ଭାବେ ଜୀବ ଲୀଳା ଭବେ
ଯା' ଶରୀର ଦୀପ୍ତି ଲିଭେ ।
ଶରୀର- ସଳିତା ପଡ଼ି ରହେ , " ଚେତା "
-ଅଟେ ତାର ଆତ୍ମା- ଅଗ୍ନି
ଆତ୍ମାର ସଂଯୋଗ ଅଥବା ବିଯୋଗ
ଜଳିବା ଲିଭିବା ମାନି ।
ବେଦ ରେ ବର୍ଣ୍ଣିତ ଅଗ୍ନି - ଆତ୍ମା ହିଁ ତ
ମହାତ୍ମ୍ୟ ତାହାର ଚିହ୍ନି
ଅଗ୍ନି ମିଳେ ବୋଲି ସ୍ତୁତି ତାରେ ବୋଲି
ଯାଇ ଛନ୍ତି ଋଷି ମୁନି ।
ସ୍ତିମିତ ଆଲୋକ ରେଖା ଟାଣି ଏକ
ସଳିତା ଅଗ୍ନି ସଂଯୋଗେ
ସୀମିତ ସମୟ ତିମିରକୁ କ୍ଷୟ
କରଇ ତୈଳର ଯୋଗେ ।
ଦୁଃଖ କଷ୍ଟ ସହ୍ୟ କରି ଅହରହ
ପ୍ରାଣୀ ମହୀରେ ସେପରି
ଆପେ ତାପେ ଦଗ୍ଧ ହୋଇଣ ବିଦଗ୍ଧ
ଆପଣାକୁ ଦିଏ କରି ।
ସହିଣ କଷଣ ଯାପଇ ଜୀବନ
ନିଜେ ଜଳି ପୋଡ଼ି ଶେଷ
ହୁଅଇ ପାଉଁଶ ବିଞ୍ଚି ଦିଏ ସୁଖ
ସାଧଇ ହିତ ଅଶେଷ ।
ଜୀବନର ପଥେ ଚାଲନ୍ତି ସମସ୍ତେ
ସଳିତା ପରିକା ଜଳି
ଆଲୋକ ଦେବାକୁ ଆସନ୍ତି ମର୍ତ୍ତ୍ୟକୁ
ଅବୟବେ ଦୀପ୍ତି ଭରି ।
ସୁଜନ ସେ ପରି ପର ହିତ କରି
ସହଇ ସଦା କଷଣ
ଆଲୋକ ଔଜଲ୍ୟ ପ୍ରଦାନର ଫଳ
କ୍ଷୟ ନିଜ ଅପଘନ ।
ଅମା ଅନ୍ଧ କାର କରିବାକୁ ଦୂର
ଜାତ ହୁଏ ସିନା ତାର
ତୈଳ ଯେତେ କାଳ ଥାଏ ସେ ଉଜ୍ବଳ
ଆଲୋକ କରେ ସଞ୍ଚାର ।
ଜୀବନ ସମାପ ହେଲେ ଜୀବ- ଦୀପ
-- ସଳିତା ପରି ସବୁରି
ଆତ୍ମା- ଅଗ୍ନି ତାର ସୁକ୍ଷ୍ମେ ଅଗ୍ରସର
ହୁଏ ଦେହ ତ୍ୟାଗ କରି ।
ଅଗ୍ନି ର ବିଲୟ ହେଲେ ବି ବିଗ୍ରହ
ରୂପକ ସଲିତା ଚିର
ରହି ପାରି ଥାଏ କ୍ଷୟ ତାର ହୁଏ
ଚିତା ରେ ପଡ଼ି ସତ୍ଵର ।
ତୈଳ ଶେଷ କ୍ଷଣେ ନିଷ୍ପ୍ରଭ ତକ୍ଷଣେ
ହୋଇ ଥାଏ ସବୁ ଠାବେ
ପ୍ରାଣୀର ପରାଣ ଦୀପ ସେ ପ୍ରକାର
ତୈଳ ଶେଷ କ୍ଷଣେ ଲିଭେ ।
ଟିକି ସଳିତାଟେ ଶୋଷି ପାରି ଥାଏ
ତୈଳର ମହାସାଗର
ଦୀପ ଓ ଦୀପାଳୀ ନିତି ଥାଉ ଜାଳି
ତାହାରି ହେତୁ ଜାଗର ।
ସୁଦିବ୍ୟ ଆଲୋକେ ଦେଖାଏ ଯେ ଲୋକେ
ଦିବ୍ୟ ଭାବ ବିଭା ଭାର
ସଳିତାର ତାର ତେଜରେ ନିସ୍ତାର
ବିଭାଶିତ ଅନ୍ଧକାର ।
ସମର୍ପିତ ଭାବ ଘେନି ସେ ଅଭାବ
କରି ଦେଇ ଥାଏ ଦୂର
କ'ଣ ବା ଗ୍ରହଣ କରେ ଚିରନ୍ତନ
ବିତରେ ଆଲୋକ ଧାର ।
ସଳିତା ହିଁ ଵୁଝେ ତ୍ୟାଗର ମହତ୍ତ୍ଵ
ଶିଖାଏ ତ୍ୟାଗର ଭାଷା
ଶ୍ରମିକର ଶ୍ରମ ଖୋଳି କୂପ ମାନ
ନାଶେ ସେ ଅଶେଷ ତୃଷା ।
ସେହି ପରି ଛୋଟ ହେଲେବି ବିରାଟ
ଆଶ୍ଚର୍ଯ୍ୟର ସମ୍ଭାବନା
ସଳିତା - ପ୍ରତୀକ , ସୁଚିତ୍ର କଳାପ
ପ୍ରକାଶେ କବି ଭାବନା ।