STORYMIRROR

BANANIBALA NAIK

Romance Others

4  

BANANIBALA NAIK

Romance Others

ଶାଶ୍ଵତ ପ୍ରେମ

ଶାଶ୍ଵତ ପ୍ରେମ

2 mins
237


ହୃଦ ନନ୍ଦନ ରେ ପ୍ରେମ ପାରିଜାତ

ଫୁଟି ନିତି ବାସୁ ଥାଏ,

ଭଲ ପାଇବାର ଊଣା ହେଲେ ଟିକେ

ଅଚିରେ ଝାଉଁଳି ଯାଏ ।।

ପ୍ରକୃତ ପ୍ରେମରେ ନ ଲାଗେ କଳଙ୍କ

ନ ଥାଏ ସ୍ବାର୍ଥ ର ଲେପ,

ସମାଜ ଆକଟ ବାଧା ବନ୍ଧନ କୁ

କରେ ନି କେବେ ଭ୍ରୁକ୍ଷେପ ।।

ଦୁଇଟି ମନ ର ମିଳନ ରେ ହୃଦେ

ପ୍ରେମ ବୀଜ ଅଙ୍କୁରିତ ,

ଭୁଲ୍ ବୁଝାମଣା ଆଣିଥାଏ ଝଡ

ପ୍ରେମ ହୁଏ କଳୁଷିତ ।।

ଶାଶ୍ଵତ ପ୍ରେମରେ କାମନା ନ ଥାଏ

ନ ଥାଏ ଧନ ଲାଳସା,

ପ୍ରେମୀର ବିରହେ ପ୍ରେମୀ ଦହି ହୁଏ

ପ୍ରେମୀ ବୁଝେ ପ୍ରେମ ଭାଷା ।।

ପ୍ରେମ ତ ନୁହଇ ପାଣି ପରେ ଗାର

କ୍ଷଣକେ ମିଳେଇ ଯିବ,

ଶୁଦ୍ଧ ପ୍ରେମ ଅଟେ ହୃଦୟ ରେ ଗାର

ଚିର ଦିନ ରହି ଥିବ ।।

ପ୍ରେମୀ ବୁଝେ ଖାଲି ପ୍ରେମ ପରିଭାଷା

ହୃଦୟ ର ଉଦ୍ବେଗତା,

ଦୁଃଖ କଷଟି ରେ ମାଜି ହେଉଥାଏ

ଫୁଟୁ ଥାଏ ଔଜ୍ଵଲ୍ୟତା ।।

ଯେତେ ପୋଡୁ ଥିଲେ ବିଶୁଦ୍ଧ ସୁବର୍ଣ୍ଣ

ନ ହରାଏ ମୌଳିକତା,

ପ୍ରେମ ସେହି ପରି ଦୁଃଖ ଅନଳ ରେ

ନ ହରାଏ ତାର ସତ୍ତା।।

ଭକ୍ତ କରିଥାଏ ଈଶ୍ୱର ଙ୍କୁ ପ୍ରେମ

ମାତା ପୁତ୍ରେ ପ୍ରେମ ଭାବ,

ଭାଇ ଭଗିନୀ ରେ ଅଲୌକିକ ପ୍ରେମ

ନ ଥାଏ ତ୍ୟାଗ ଅଭାବ ।।

ପତି ପତ୍ନୀ ମଧ୍ୟେ ଐଶ୍ୱରୀୟ ପ୍ରେମ

ନିବିଡ଼ ବନ୍ଧନ ସେ ତ,

ପ୍ରେମ ଦିଆ ନିଆ ମନ ବୁଝାମଣା

ହୃଦ ଗତେ ଅପ୍ରମିତ ।।

ଇତର ପ୍ରାଣୀ ରେ ପ୍ରେମ ହୁଏ ଜାତ

ବନ୍ଧନ ପ୍ରେମ ରଜ୍ଜୁ ରେ,

ଭଲ ପାଇବାର ଋଣ ଶୁଝି ଥାନ୍ତି

ପୋଷା ଜୀବ କୃତଜ୍ଞ ରେ ।।

ଆଜି କାଲି ପିଢ଼ି ପ୍ରେମ ର ଛଳନା

ଦୈହିକ ସୁଖ ଆଶାରେ,

କାମ ଚରିତାର୍ଥ ହୋଇଗଲା ପରେ

ଖସି ଯାନ୍ତି ଗୋପନ ରେ ।।

ଲୋକ ଲଜ୍ଜା ଡରେ କହି ନ ପାରନ୍ତି

ନିଜ ଘର ପରିବାରେ,

କଳଙ୍କ ର ଟୀକା ପୋଛି ଦେବ କିଏ

ଏହି ସ୍ୱାର୍ଥି ସଂସାର ରେ ।।

ରାଧା କୃଷ୍ଣ ଙ୍କ ର ଅକଳଙ୍କ ପ୍ରେମ

ଆଜି ବି ସଂସାର ଗାଏ,

କୃଷ୍ଣ ବିନା ରାଧା ,ରାଧା ବିନା କୃଷ୍ଣ

ବିରହେ ମରମ ଦହେ ।।

କୃଷ୍ଣ ପ୍ରେମେ ବାଇ ସାଧ୍ୱୀ ମୀରା ବାଈ

କୃଷ୍ଣ ନାମେ ବିଷ ପିଏ,

ପ୍ରେମେ ଶ୍ରୀ ଚୈତନ୍ୟ ନଗ୍ର ନଗ୍ର ଭ୍ରମି

ହରେ କୃଷ୍ଣ ନାମ ଗାଏ ।।

ଅଢେଇ ଅକ୍ଷର '' ପ୍ରେମ "ଅଟେ ସିନା

ପ୍ରେମରେ ବଶ ଜଗତ,

ପ୍ରେମ ବିନା ନାହିଁ ଜଗତ କଳ୍ପନା

ପ୍ରେମେ ସୃଷ୍ଟି ଆତ ଯାତ।।

ଯେ ପ୍ରେମରେ ଲାଗେ କଳଙ୍କ ର ଦାଗ

ନୁହେଁ ସେ ଶାଶ୍ଵତ ପ୍ରେମ,

ପ୍ରେମ ର ନାମ ରେ ମିଛ ପ୍ରତାରଣା

ପ୍ରେମ ନାମେ ମତି ଭ୍ରମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance