STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

2 mins
259

ଶୁଣିଲି,

ଆଜିକାଲି ତୁମେ ଛାଡ଼ି ଦେଲଣି ରାଗ ରୁଷା ସବୁ

ଏମିତି ମୁଁ କଣ କହିଦେଲି ଯେ

ତାଲା ପକାଇ ରଖି ଦେଇଛ ତୁମ ଅଭିମାନ ସବୁ

ମୋ ପାରିଲା ପଣିଆ କଣ ଏତେ ପାଣିଚିଆ

ମୁଁ ପରା ପାଳିଛି ସେଦିନୁ ତୁମ ଚାରିପାଖର ଯେତେ ଦୁଃଖ ସବୁ ।


ହଉ ଠିକ ଅଛି

ଜହ୍ନ କୁ ନ ଦେଖିଲେ ନାହିଁ

ଆଇନା ତ ପାରନ୍ତ ଦେଖି ନିଜକୁ ଦେଖିବାର ବାହାନାରେ

ତୁମେ କଣ ଜାଣିନାହଁ

ତାରା ମାନେ ଲୁଚକାଳି ଖେଳନ୍ତି ତୁମ ଉନ୍ମୁକ୍ତ କେଶରେ ।


ହଁ, ଅବଶ୍ୟ ମିଛ ନୁହେଁ ଅଭିଯୋଗ ତୁମ

ମୁଁ କାଳେ ଭାବୁନାହିଁ ଆଉ ତୁମକୁ ନିଜର

କାରଣ, ନିଜକୁ କଣ କେହି ନିଜର ବୋଲି ଭାବେ

ଅନ୍ତର ଓ ଅନ୍ତରଙ୍ଗ ଭିତରେ ପ୍ରଭେଦ ତ ଭୂମିରୁ ଅମ୍ବର। 


ଗୁଜବମାନେ ଘୁରିଲେଣି ହାଟ ବଜାରରେ

ଆଗ ଭଳି ଭଲ ମୁଁ ପାଏନି ଯେମିତି ପ୍ରଥମେ ପ୍ରଥମେ

ତୁମେ ବି ତ ଆଖିର ଦୁଷ୍ଟାମୀକୁ 

ଜାକିଜୁକି ରଖି ଦେଇଛ ଅତୀତର ପୁରୁଣା ଆଲମାରୀରେ। 


ମୋ ନୀରବତା ଭିତରେ 

ବେଶ ବାରି ହୋଇଯାଏ ତୁମ ମୁଖର ପଣିଆ

ବୁଝେ କି ନ ବୁଝେ କିନ୍ତୁ

ଶୁଣି ବସେ ରାତି ହେଲେ ମନ୍ତ୍ରମୁଗ୍ଧ ହୋଇ

ତୁମ ଅନୁଭୂତ କାହାଣୀର ଅଦ୍ଭୁତ କିମିଆ। 


ଆଉ ହଁ,

କିଛି ଲୋକ କହୁଛନ୍ତି ଏବେ

ମୁଁ କାଳେ ବାଟ ଚାଲେ ଛାତିକୁ ଫୁଲାଇ,

ଭଲ ପାଇବାରେ ଜିତାପଟ ପରେ

ସାମାନ୍ୟ ଅହଙ୍କାର ତ ଆସିଯାଏ ଆପେ ଆପେ ହୋଇ। 


ଛାଡ଼ ସେ ଅଲଣା କଥା ସବୁ

ଯାହା ସବୁ ଗଡୁଥାଏ ହାଟରେ ବାଟରେ,

ଏରୁଣ୍ଡି ଏପଟେ ଆମେ ଦୁହେଁ କରୁଥିବା ମଧୁର ମନ୍ତ୍ରଣା

ଧୂଳି ଦେଇ ଲୋକଙ୍କ ଆଖିରେ। 


କି ମିଳିବ ସାଗରର ଭୀଷଣ ଆକ୍ରୋଶରୁ

ବା ନଦୀର ସେ ଛଳଛଳ ଚଳନ୍ତା ଆଶ୍ୱାସନାରୁ

ଆସ ଅଗଣାରେ ପାଣିକୁଣ୍ଡର ସ୍ଥିର ଚଟାଣରେ

ଆମେ ଦେଖି ହସୁଥିବା ଦୁହିଁଙ୍କ ଚେହେରା ଆମ ବଳକାହ୍ନରେ। 


ତୁମକୁ ତ ଅଛପା ନଥିବ

ସବୁ ସକାଳର ଶେଷ ପରିଣତି,

ମେଞ୍ଚାଏ ତତଲା ମଧ୍ୟାହ୍ନ ଓ ଅଳସ ଅପରାହ୍ନ ପରେ

ସଞ୍ଜର ସଳିତା ଜଳେ ଢଳ ଢଳ ହୋଇ

ଓ ଅବଶେଷେ ସ୍ୱପ୍ନର ନିଦୁଆ ନିଶାରେ ବିଭୋର ହୁଏ

ମଧୁଭରା ଭିଜା ଜହ୍ନ ରାତି।


ଆସ ସେ ସଞ୍ଜ ସକାଳର ମୋହ ଛାଡ଼ିଦେବା

ଋତୁ ସବୁ ଆସନ୍ତୁ ଯାଆନ୍ତୁ ନିର୍ଘଣ୍ଟ ନ ମାନି,

ଆମେ ଆମ ସବୁ ମୁହୂର୍ତ୍ତରେ ଗାଇ ଯିବା ପ୍ରଭାତୀ କବିତା

ହସରେ ଆମର ଫଗୁଣ ଝରିବ, ଲୁହରେ ଶ୍ରାବଣ ଧାରା

ଜୀବନ ବୈଶାଖେ ଖୋଜିନେବା ଦୁହେଁ ଶୀତୁଆ ମଧୁଯାମିନି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance