Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Romance

4  

Niranjan Mishra

Romance

ବସନ୍ତ ଯାଅନା ହଜି

ବସନ୍ତ ଯାଅନା ହଜି

2 mins
334



ଋତୁରାଜ ତୁମେ ବରଷକ ପରେ

ଆସିଛ ଧରାକୁ ଆଜି ।

ତୁମ ଆଗମନୀ ବାରତା ଆଣିଛି

ମନରେ ଉଲ୍ଲାସରାଜି ।୧।

ନବ କିଶଳୟ ନବୀନ କୁସୁମେ

ସୁଶୋଭିତ ଦିଶେ ଧରା ।

ଆମ୍ବ ବଉଳର ମହକ ଛୁଟଇ

ଆକାଶ ଦିଶଇ ତୋରା ।୨।

କୁହୁ କୁହୁ ତାନେ ପିକ ଗାନ କରେ

ତୁମ ଆଗମନୀ ଗୀତ ।

ମନ୍ଦ ମନ୍ଦ ହୋଇ ବହୁଛି ମଳୟ

ହରୁଛି ସଭିଙ୍କ ଚିତ୍ତ  ।୩।

ତୁମ ଆଗମନେ ପ୍ରସନ୍ନ ସଭିଏଁ

ଆସଇ ଜାଗର ଯାତ ।

ଶିବ ମନ୍ଦିରରେ ରହି ଉଜାଗର

ପ୍ରଦୀପ ଜଳେ ବହୁତ ।୪।

ଫଗୁଦଶମୀରେ ଫଗୁ ଲାଗି ହୋଇ

ବିିମାନେ ବିଜେ ଠାକୁର ।

ବାଜେ ବାଦ୍ଯମାନ ଚାଚେରି ଲୀଳାରେ

ଭୋଗ ଲାଗେ ଘର ଘର ।୫।

ଚତୁର୍ଦ୍ଦଶୀ ଦିନ ଚାଚେରି ସରିଲେ

ଅଇଘେରା ପ୍ରଦକ୍ଷିଣ ।

ଶେଷ ହେବା ପରେ ଦୋଳ ଉତ୍ସବର

ହୋଇଥାଏ ଆୟୋଜନ। ୬।

ଦୋଳମଣ୍ଡପରେ ବିଜୟ ଠାକୁରେ

ସୁସଜ୍ଜିତ ହୁଏ ଦୋଳି ।

ଫଗୁ ଖେଳ ଖେଳି ଆନନ୍ଦରେ ଲୋକେ

ହେଉଥାନ୍ତି କୋଳାକୋଳି ।୭।

ଗୋପାଳ ଯାଦବ ଗୀତ ଗାନ କରି

ହର୍ଷ ଖେଳି ବାଡିଖେଳ ।

ଜ୍ୟୋତିଷ ପଢନ୍ତି ନୂତନ ପଞ୍ଜିକା

ନବବର୍ଷ ଫଳାଫଳ ।୮।

ଦୋଳ ହୋଲିଖେଳ ରଙ୍ଗର ପସରା

ରଙ୍ଗ ପିଚକାରୀ ମାରି ।

ବସନ୍ତ ଉତ୍ସବମୁଖର ହୁଅଇ

ବାସନ୍ତିକ ପୂଜା କରି ।୯।

ଅଶୋକଷ୍ଟମୀର ରୁକୁଣା ରଥରେ

ଲିଙ୍ଗରାଜ ହରିହର ।

ଦରଶନ ଦେବେ ଏକାମ୍ର କ୍ଷେତ୍ରରେ

ରଥ ଟଣା ହେତୁ କର ।୧୦।

ଶ୍ରୀରାମ ନବମୀ ଶ୍ରୀରାମଙ୍କ ଜନ୍ମ

ଉତ୍ସବ ଘେନି ଆସିବ ।

ସ୍ଥାନେ ସ୍ଥାନେ ରାମଲୀଳାର ଆଖ୍ୟାନ

ନୃତ୍ଯ ଉତ୍ସବ ହୋଇବ ।୧୧।

ଚଇତ୍ର ମାସର ମଙ୍ଗଳ ବାରରେ

ଲୋକେ ଦେବେ ପଣା ପାଣି ।

ଶୁକ୍ଳ ଚତୁର୍ଦ୍ଦଶୀ ହିଙ୍ଗୁଳା ଉତ୍ସବ

ଦଣ୍ଡଯାତ୍ରା ହୁଏ ପୁଣି ।୧୨।

ଏକୋଇଶ ଦିନ ଦଣ୍ଡଯାତ୍ରା ପଣା

ସଂକ୍ରାନ୍ତି ପୂର୍ବ ଦିବସ ।

ମେରୁ ହୋଇ ଦଣ୍ଡ ଛପାଇ ଦିଅନ୍ତି

ଦଣ୍ଡଯାତ୍ରା ହୁଏ ଶେଷ ।୧୩।

ଶୀତ ଛାଡିଗଲା ବରଷା ତ ନାହିଁ

ଖରା ତେଜ ବେଶୀ ନାହିଁ ।

ଦିନ ବଡ ହେଲା କୋକ ଦମ୍ପତ୍ତିଙ୍କ

ଆନନ୍ଦ କେ ପାରେ କହି ।୧୪।

ପ୍ରେମ ଋତୁ ଋତୁରାଜ ତୁମେ ଆସି

ହରଷ ବାଣ୍ଟୁଛ ଆଜି ।

ସଭିଙ୍କର ପ୍ରିୟ ତୁମେ ଋତୁରାଜ

ବସନ୍ତ ଯାଅନା ହଜି ।୧୫।



Rate this content
Log in

Similar oriya poem from Romance