ମହାଗୌରୀ
ମହାଗୌରୀ
ଶ୍ଵେତ ବୃଷାରୁଢ଼ା ଶୁଭ୍ର ଶ୍ୱେତବର୍ଣ୍ଣା
ଶ୍ଵେତାଳଙ୍କର ଭୂଷିତା
ଶ୍ଵେତ ପୁଷ୍ପମାଳା ଗଳେ ଶୋଭାବନ
ନମଃ ମହାଗୌରୀ ମାତା
ହେ ଶିବା ଶିବାନୀ ଭବାନୀ ରୁଦ୍ରାଣୀ
ମହାଦେବ ଅର୍ଦ୍ଧାଙ୍ଗିନୀ
ମଣିମୟ ଜ୍ୟୋତି ମଙ୍ଗଳକାରେଣୀ
ଅଭୟ ବରଦାୟିନୀ
ଅଭୟ ବରଦ ମୁଦ୍ରାଧାରୀ ମାତ
ତ୍ରିଶୂଳ ଡମ୍ବରୁ ଧାରୀ
କୁନ୍ଦ ଚନ୍ଦ୍ର ନିନ୍ଦି କାନ୍ତି ଯେ ତୁମ୍ଭର
ଅଷ୍ଟମରେ ମହାଗୌରୀ
ଵିଧୁ ସୁଶୋଭିତ ମସ୍ତକେ ତୁମ୍ଭର
ରତ୍ନକୁଣ୍ଡଳ କର୍ଣ୍ଣରେ
ଘୋର ତପ ତୁମ୍ଭେ ଆଚରିଲ ମାତା
ଶମ୍ଭୁ ଲଭିବା ଆଶାରେ
କଳା ପଡିଗଲା ଅଙ୍ଗ କାନ୍ତି ତୁମ୍ଭ
ବିଷ୍ଣୁପଦୀ ଜଳେ କରି ଧୌତ
ମହାଗୌରୀ ରୂପେ କରି ଅର୍ଦ୍ଧାଙ୍ଗିନୀ
ବରିଲେ ଶ୍ରୀ ଭୋଳାନାଥ
ଅନ୍ନପୂର୍ଣ୍ଣା ତୁମ୍ଭେ ଶାନ୍ତ ସୌମ୍ୟା ରୂପ
ସ୍ନେହମୟୀ ହେ ଜନନୀ
ଆରତ ହାରିଣୀ ବିପଦ ତାରିଣୀ
ଅମୋଘ ଫଳଦାୟିନୀ
କଳ୍ମଷ ହାରେଣୀ ଦୀନ ଦୁଃଖ ହାରି
ଆଦିଶକ୍ତି ମାଆ ପାର୍ବତୀ
କଲ୍ୟାଣମୟୀ ମାଆ କରୁଣା କର ହେ
ସତ୍ୟ ଧର୍ମେ ରହୁ ମତି
ସୋମ ଚକ୍ର ମାତା ହୁଅଇ ଜାଗ୍ରତ
ସ୍ମରିଲେ ତୁମ୍ଭର ନାମ
ବିଘ୍ନ ହୁଏ ଦୂର ଶତ୍ରୁ ନାଶ ଯାଏ
ପୂର୍ଣ୍ଣ ହୁଏ ସର୍ବ କାମ
ପରମ ପାବନୀ ଜଗତ ଜନନୀ
ସନ୍ତାନ ସନ୍ତାପ ନାଶ
ଶ୍ରୀ ବୃଦ୍ଧି ହୁଏ ଭକ୍ତର ତୁମ୍ଭର
ଲଭେ ସେ ଅଖଣ୍ଡ ଯଶ
ମରଣ ନ ଆସେ ଶରଣ ପଶିଲେ
ତ୍ରିପାପ ହୁଅଇ ଦୂର
ଗ୍ରହଦୋଷ ସର୍ବ ପୀଡ଼ା ହୁଏ ନାଶ
ନଥାଏ କାହାକୁ ଡର
ତୁମ୍ଭ ପଦ୍ମପାଦେ ରହୁ ମନ ସ୍ଥିର
ଏତିକି ମୋର ପ୍ରାର୍ଥନା
ଲୋଡୁନାହିଁ ମୁକ୍ତି ବିଭବ ସମ୍ପତ୍ତି
ଅଳି ହେଉ ମାତ ଘେନା
ଶୟନେ ସ୍ୱପନେ ସୁଖଦୁଃଖେ ସଦା
ଭଜୁଥିବି ତୁମ୍ଭ ନାମ
ସ୍ଵଦେଶେ ପ୍ରବାସେ ଗୃହେ ବା ଶ୍ମଶାନେ
ତୁମ୍ଭ ଠାରେ ଥାଉ ମନ

