ତୁମ ବିଚ୍ଛେଦରେ
ତୁମ ବିଚ୍ଛେଦରେ
ନଈ ପାଣି
ହଳଦିଆ ଧାନ କ୍ଷେତେ
ଯେତେବେଳେ
ମୁହଁ ଦେଖାଏ
ସଞ୍ଜୁଆ ଆକାଶରେ ଜହ୍ନ
ଠିକ୍ ସେତିକି ବେଳେ
ମନପଡ଼ ତୁମେ
ନିୟନ୍ତ୍ରଣ ହରାଏ
ଘନ ଘନ ଦୀର୍ଘଶ୍ବାସ।
ବୟସ ଭାରରେ
ନଇଁ ପଡୁଛି ଆୟୁଷ ଅୟସ
ସୁଲୁ ସୁଲୁ ପବନ
ଦୁମୁ ଦୁମୁ କରୁଛି ଛାତି
ମେଘ ଭର୍ତ୍ତୀ ହୋଇ ଯାଉଛି
ସାରା ଆକାଶଟା
ଲୁଚି ଯାଉଛି ଜହ୍ନ
ଲିଭି ଯାଉଛି ତୁମ ମୁହଁ।
ମନରେ ସବୁଜ କ୍ଷେତର ଜୁଆର
ନଈ ଭର୍ତ୍ତୀ ନାଆ
ଶୀତ ସକାଳ କାକରରେ
ଗାଧୋଇ ପଡିଛି
ଦୁବ ଘାସ
କାକର ଗାଧୁଆ ଦିହରେ ଟୋପା ଟୋପା ବିନ୍ଦୁ
ସେଥିରେ ଝଲସୁଛି ତୁମ ମୁହଁ
ଗଙ୍ଗଶିଉଳି ଗାଉଛି ବିରହ ସଙ୍ଗୀତ
ତୁମେ କଣ ଜାଣି ପାରୁନ !
ନିଃଶବ୍ଦ ରାତିରେ ଜହ୍ନ କେମିତି
କଡ଼ ଲେଉଟାଇ ମୋ ନିଦ ଭାଙ୍ଗେ ?
ଓଃ ଅସହ୍ୟ ତୁମ ବିରହ
ପରଦେଶୀ ବନ୍ଧୁ
ଜହ୍ନ ହାତେ ବାତିନି ଦେଇଛି
ପଢିବ ମୋ ବିଦଗ୍ଧ ହୃଦୟ
କେମିତି ଭାଜିହୁଏ ତୁମ ବିଛେଦରେ ।