ତୁମ ମଧୁଝରା ସ୍ମୃତି
ତୁମ ମଧୁଝରା ସ୍ମୃତି
ତୁମ ମୁହଁ ଦିଶେ ମୋର ପଲକେ ଦୁଇ ଆଖିର
ତୁମରି ସ୍ମୃତିରେ ମୁହିଁ ହଜି ଯାଇଛି
ଗଗନ ଦେଶରେ ତୁମ ରୂପ ଦିଶେ ଅନୁପମ
ମଧୁଝରା ହସ ତୁମ ନେତ୍ରେ ଭାସୁଛି
ତୁମ ଅଧା ଲେଖା କବିତା
ପଢୁଛି ଅଳପ ମୁହିଁ ଅଧିକ ଚିନ୍ତା ||
ତୁମ ସ୍ମୃତି ରୂପା ଜହ୍ନ ଚନ୍ଦ୍ରିମା ପରଶେ ମନ
ଅତିନ୍ଦ୍ରିୟ ଦେଶେ ଯାଇ କରେ ଭ୍ରମଣ
ତୁମ ପ୍ରୀତି ଜ୍ୟୋତ୍ସ୍ନା ଧାରା ଭିଜାଇ ମୋ ଦେହ ସାରା
ସୁଖର ବୋଇତେ ଭାସି ଦେଖେ ସପନ
ବୋଳି ଦେହେ ପ୍ରୀତି ଚନ୍ଦନ
ସନ୍ତାପିତ କରେ ମୋର ହୃଦ ପରାଣ ||
ମନେ ପଡୁଛ ଗୋ ତୁମେ କବିତାର ପଂକ୍ତି ଦେହେ
ତୁମ ଆଖି ଇସାରା ମୋ ହୃଦକୁ ହାଣେ
ସେ ଆଖିର ମାଦକତା ଭରେ ମହୁଲୀର ନିଶା
ଝୁମି ଝୁମି ମନ ନାଚେ ମଧୁ ଲଗନେ
ତୁମ ସୁକୋମଳ ପରଶ
ସାରା ଦେହେ ଶିହରଣ ଜାଗେ ସରସ ||
ତୁମେ ଫୁଲ ମୋର ପାଇଁ କଣ୍ଟା ଥୁଲି ତୁମ ପାଇଁ
ଉତ୍କଣ୍ଠାରେ ଭରା ଥିଲା ଆମ ପରାଣ
ଆସି ମାଳି ଆକର୍ଷଣେ ନେଲା ତୋଳି ସେ କୁଆଡୁ
ଉତ୍କଣ୍ଠାରେ ଅନ୍ତ କରି ଦେଲା କଷଣ
ଫୁଲ କଣ୍ଟା ଭାବ ଆମର
ଯୁଗ ଯୁଗ ରହିଥାଉ ଚିର ଅମର ||
ତୁମକୁ ଖୋଜୁଛି ମୁହିଁ ତୁମରି କବିତା ଦେଇ
ଭାବାବେଗ ଭରି ଦିଏ ମନେ ମୋହର
ତୁମ କଥା ଭାବି ଭାବି ଆଙ୍କେ ତୁମ ପ୍ରତିଛବି
ସାଗର ଜଳରେ ଯେହ୍ନେ ଦୃଶ୍ୟ ପୋତର
ଦେଖାଦେଇ ଯାଏ ଉଭେଇ
ମନରେ ମୋ ତୁମ ସ୍ମୃତି ପଶେ ଧସେଇ ||
ଦେଖୁଛି ତୁମକୁ ମୁହିଁ ତୁମ କବିତାରେ ସେଇ
ବିଲ ବଣ ତୋଟା ମାଳ ନୀଳ ଆକାଶ
ଯା’ର ବନ ଉପବନ ମୋହି ନେଇଥିଲା ମନ
ସବୁଠାରେ ଦେଖେ ମୁହିଁ ତବ ପ୍ରକାଶ
ଆହେ ପ୍ରାଣ ପ୍ରିୟ ମୋହର!
ତୁମ ପ୍ରୀତିଝରା ସ୍ତୁତି କରେ ବିଭୋର||