ମୁକ୍ତି କ୍ରାନ୍ତିତୀର୍ଥ
ମୁକ୍ତି କ୍ରାନ୍ତିତୀର୍ଥ
ନିଭୃତ ମୋ ମନ ହୃଦୟ କନ୍ଦରେ
ଅବଶୋଷ ହୁଏ ଘାରି
ଅନ୍ଧକାର କାଳ କରାଳ ଗରଭୁ
ପୁକାରେ କିଏ ଚିତ୍କାରି ।
ମୁକ୍ତ ଓ ସ୍ବାଧୀନ ମଣୁଛ ନିଜକୁ
ଗୌରବ ଐତିହ୍ଯ ଭୁଲି
ଧର୍ମ ମାନବତା କଲେ ଯେ ସୁରକ୍ଷା
ନିର୍ଦ୍ଦୟେ ଦିଅ ପାଶୋରି ।
ଇତିହାସେ ଯାହା ପଢୁଅଛ ପାଠ
ସେ ସବୁ ତ ଅର୍ଦ୍ଧସତ୍ଯ
ନିଭାଇଛୁ ଅଙ୍ଗେ ଆମ୍ଭେ ପୂର୍ବସୂରୀ
ଦୁର୍ବିସହ ଦୁଃଖକଷ୍ଟ ।
ମୁଁ ତୁମ୍ଭ ପୂର୍ବଜ ଅଣ ଗୋସବାପ
ନାମ ମୋ ଥିଲା ଝୁଲଣ
ଇଂରେଜ ମାନଙ୍କୁ ନକରି ଭ୍ରୁକ୍ଷେପ
ଆଇନ କଲି ଅମାନ୍ଯ ।
ପ୍ରଗଣା ବରୁଆଁ ଉତ୍କଳ କଟକେ
ଜାଳିଲୁ ବିଦ୍ରୋହ ନିଆଁ
କଲୁନି ପଇଠ ସୂର୍ଯ୍ୟାସ୍ତ ପୂର୍ବରୁ
ରାଜସ୍ବ ଧାର୍ଯ୍ଯ ପାଉଣା ।
କୁଳ ସାମନ୍ତଙ୍କୁ କରି ବେଦଖଲ
କୁଚକ୍ରୀ ଇଂରେଜ ଗୋଷ୍ଠୀ
ଲଦି ଦେଲା ଆଣି ବଙ୍ଗ ତୋଷାମଦୀ
ଫାନ୍ଦେ ତିଆରିଲା ବସ୍ତି ।
ହେଲା ପ୍ରଜାମେଳି ସଶସ୍ତ୍ର ବିଦ୍ରୋହ
ତାତିଗଲେ ପ୍ରଜାକୂଳ
ଅଗ୍ନିର ସଂଯୋଗେ ଜଳାଇଲୁ ଆମ୍ଭେ
ଉପନିବେଶୀଙ୍କ ଚାଳ ।
ବିଦ୍ରୋହୀଙ୍କୁ ଧରି ଇଂରେଜ ଶାସକ
କଳବଳ କଉଶଳେ
ଦେଲା ଫାଶି ଦଣ୍ଡ ଅବା ସଂଗୋପନେ
ପେଶିଦେଲା ଦେଶାନ୍ତରେ ।
ଏବେବି ନିଖୋଜ ମୁଁ ତୁମ ପୂର୍ବଜ
ଝୁଲଣ ବା ରାମକୃଷ୍ଣ
ଚତୁର ଶାସକ ଜାଣିଶୁଣି ସବୁ
ଲିଭାଇଛି ସ୍ମୃତି ଚିହ୍ନ ।
ଢାଳି ଲହୁଲୁହ କରିଲୁ ସଂଗ୍ରାମ
ସହି ନିନ୍ଦା ନିର୍ଯାତନା
ହତଶିରୀ ଆମ୍ଭ ଜନ୍ମ ଭିଟାମାଟି
ଅତୃପ୍ତ ଆମ୍ଭର ଆତ୍ମା ।
ଅବଲୁପ୍ତ ହୁଏ ଐତିହ୍ଯ ସଂସ୍କୃତି
ନିରବ ଦ୍ରଷ୍ଟା ଈଶ୍ୱର
ଅବକ୍ଷୟ ହୁଏ ଧର୍ମ ସମନ୍ବୟ
ସାମାଜିକ ସୁସଂସ୍କାର ।
ହିରଣ୍ମୟ ପଥ ସୁଲକ୍ଷ୍ଯେ ଅବ୍ଯର୍ଥ
ଜାଗ ଉତ୍ତର ଦାୟାଦ
ଫେରିଆସୁ ଆମ ଲୁପ୍ତ ଗଉରବ
ସ୍ବପ୍ନ କର ଚରିତାର୍ଥ ।
ଦୁଃଖ ଦୈନ୍ଯ ହୀନ ମନ୍ଯତାକୁ ତେଜି
ଜାଗ ମୋ ପ୍ରିୟ ସନ୍ତାନ
ପାତାଳ ଗର୍ଭରୁ କର ଉତଖନନ
ସତ୍ଯ ହେଉ ଉନ୍ମୋଚନ ।
ଭାଙ୍ଗିଯାଏ ପଛେ ଶିିଖି ନାହିଁ ନଇଁ
ଜୀବନେ ସିଂହ ଶାବକ
ଅବିରତ କର ଦୁର୍ବାର ସଂଗ୍ରାମ
ସ୍ବ ଅଧିକାର ସୁରକ୍ଷ ।
ବଜାଅ ଦୁନ୍ଦୁଭୀ କର ଶଙ୍ଖନାଦ
ସମୁଦ୍ଭବ ଭଗୀରଥ
ସମୁଜ୍ଜ୍ୱଳ ଧର୍ମ ଉଦ୍ଧର ଜୀବନ
ପ୍ରବହୁ ଗଙ୍ଗା ପବିତ୍ର ।
ଛଳ ପ୍ରପଞ୍ଚକୁ କରି ପରାହତ
ଅମିତ ବିକ୍ରମ ବଳେ
ମୁକ୍ତି କ୍ରାନ୍ତିତୀର୍ଥ ସ୍ୱର୍ଣ୍ଣିମ ଅଧ୍ଯାୟ
ସଂରଚ ସ୍ବହସ୍ତାକ୍ଷରେ ।
