ଜଗତ ଦହନଶୀଳ
ଜଗତ ଦହନଶୀଳ
ଜଗତ ଦହନଶୀଳ
ତେଣୁ, ସବୁକିଛି ଜଳେ
ମୁଁ ବି ଜଳୁଛି
ଜାଳିବା ଏକ ଧର୍ମ
ଜଳି ଜଳି ଜାଣିଛି,
ଶେଷରେ ଜଳିବ ହାଡ ମାଂସର ଦେହ ।
ଯୌବନର ଦହନ ଶକ୍ତି ଅଛି ବୋଲି
ସର୍ବାଙ୍ଗରେ କାମନା ଜଳେ
ଏ ଗୋଟେ ଦେହର ଜ୍ବଳନ
କାମନାର ଊହ୍ନେଇରେ ତେଣୁ
ଖଇପରି ଫୁଟୁଛି ଦେହ ।
ମନ ବି ପୋଡ଼ିଯାଏ
ଭାବନାର ଜ୍ବଳନରେ;
ଅଗ୍ନିର ଦାହିକା ଶକ୍ତିଠାରୁ
ଭାବନାର ଦହନ ଶକ୍ତି ପ୍ରଖର
ଦେହ ମନ ଏକାକାର ହେଲେ
ହୁତୁ ହୁତୁ ଜଳେ ଜୀବନ ।
ହୃଦୟରେ ନିଆଁ ଲାଗିଲେ
ଜଳେ ଜୀବନ
ସେ ନିଆଁର ଜ୍ଵଳନରେ
ଦେହ ମନ ପ୍ରାଣ
ସବୁକିଛି ଭସ୍ମୀଭୂତ ହୁଏ
ରହିଯାଏ ଯାହାକିଛି ମୁଠାଏ ପାଉଁଶ ।
ସବୁକିଛି ଜଳିଯିବ ଦହନ ଶକ୍ତିରେ
ରହିବନି ଜଗତରେ କିଛି
ଦେହ ମନକୁ ସମାଧିସ୍ଥ କରି
ମୁଁ ଆଜି ନିଶ୍ଚଳ
ଦିବ୍ୟ ଅଗ୍ନିର ବହ୍ନିରେ
କରିବାକୁ ଆଲୋକ ସ୍ନାନ,
ଆତ୍ମା ଏବେ ପ୍ରଜ୍ବଳିତ
ପରମାତ୍ମା ସହ ହେବାପାଇଁ ଲୀନ ।
