ଆସିଥିଲୁ ଏକା
ଆସିଥିଲୁ ଏକା
ଜନମ ବେଳରେ ଏକା ଆସିଥିଲୁ
ଗଲା ବେଳେ ଯିବୁ ଏକା
ଏ ସଂସାରେ କେହି ନୁହନ୍ତି କାହାର
ସବୁ ହୋଇଯାଏ ଫିକା।
କରମ ଯେମିତି ଫଳ ବି ସେମିତି
ଭୁଞ୍ଜିବୁରେ ବାଇ ମନ
ତୋ ଧରମ ବଳ ଏକା ତୋ ସାରଥୀ
ନିତ୍ଯ ନିତ୍ଯ ପ୍ରୟୋଜନ।
ଯାହା ପାଇଁ ତୋର ନିଃଶ୍ୱାସ ବହଇ
ସ୍ମୃତିରେ ରଖ ସ୍ମରଣ
ସେହି ପ୍ରଭୁ ଠାରେ ବିଶ୍ୱାସ ରଖିଲେ
ଜୀବନ ହୁଏ ସୁଗମ।
ଫୁଲ ଫୁଟି ନିତି ପୁଣି ଝଡିଯାଏ
ପୁଣି ପ୍ରଭାତରେ ଫୁଟେ
ସେହି ପରି ଜୀବ ନିତି ଜନ୍ମ ନେଇ
ମଶାଣୀ ଭୂଇଁରେ ଲୋଟେ।
ଜନମ ମରଣ ଗଢ଼ିବା ଭାଙ୍ଗିବା
ଏ ସବୁ ଦୈବ ଅଧୀନ
ଭଲ କାମ କରି ବଞ୍ଚୁଥାଏ ଯିଏ
ଜିଣି ପାରଇ ମରଣ।
ଗଲାବେଳେ ତୋର ସଙ୍ଗତରେ ଯିବ
ଧରମ କରମ ଯାହା
ଭଜ ଭଜ ମନ ସେହି ଗଳା ମାଳି
ସାହା ହେବେ ଚଉ ବାହା।
