ଛଅ ଋତୁ
ଛଅ ଋତୁ
ଏକ ବରଷରେ ଛଅ ଋତୁ ଆସେ
ରୂପର ପସରା ଧରି
ନିଜ ନିଜ ରୂପ ଦେଖାନ୍ତି ଲୋକଙ୍କୁ
ଆନନ୍ଦିତ ହୋଇକରି l
ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ସାଥେ
ଶୀତ, ବସନ୍ତ ଆସନ୍ତି
ବୈଶାଖ, ଜ୍ୟେଷ୍ଠରେ ପ୍ରବଳ ଖରାରେ
ଲୋକ ହନ୍ତସନ୍ତ ହୁଅନ୍ତି l
ଆଷାଢ଼, ଶ୍ରାବଣ ବରଷା ଋତୁରେ
ପୁରିଯାଏ ନଦୀ ନାଳ
ସୁଶୀତଳ ହୋଇଯାଏ ରୌଦ୍ର ତାପୂ
ଧରଣୀ ମାତା ଆମର l
ବରଷିଲେ ଘନ, ଚାତକ ପକ୍ଷୀ ଟି
ଆନନ୍ଦରେ ଜଳ ପିଏ
ସାରୁ ବୁଦା ମୂଳେ ବେଙ୍ଗୁଲୀ ରାଣୀ ଯେ
ଖୁସିରେ ସଙ୍ଗୀତ ଗାଏ l
ଶରତ ରୁତୁଟି ଅପୂର୍ବ ସମ୍ଭାର
ନେଇ ଆସେ ଧରା ପରେ
ଚଉଦିଗ ଦିଶୁଥାଏ ନୀରିମଳ
ତୋଫା ଜହ୍ନ ଆକାଶରେ l
ମାଆ ଦୁର୍ଗାଙ୍କର ଦଶହରା ପର୍ବ
ଫୁଟେ କାଶତଣ୍ଡୀ ଫୁଲ
କୁଆଁର ପୂର୍ଣ୍ଣମୀ ଏକ ବଡ଼ ପର୍ବ
ଅଟେ ସବୁ ଝିଅଙ୍କର l
ହେମନ୍ତ ଋତୁରେ ଶିଶିର ବିନ୍ଦୁ ଟି
ଘାସଗାଲିଚା ଉପରେ
ପଡ଼ିକରି ଚିକ ଚିକ ମାରୁଥାଏ
ହରଷ ଜାଗେ ମନରେ l
ହସି ହସି ଆସେ ଶୀତ ସୁନ୍ଦରୀ ଟି
ପିନ୍ଧିକୁହୁଡି ପାଟକୁ
ସାଲ, ସୁଇଟର, ଟୋପି, ମଫଲର
ପିନ୍ଧାଏ ସେ ସମସ୍ତଙ୍କୁ l
ରେଜେଇ, କମ୍ବଳ, ଘୋଡେଇ ହୁଅନ୍ତି
ରବି କିରଣ ଖୋଜନ୍ତି l
ପରିବା, ପତ୍ର, ସୁବିଧାରେ ମିଳଇ
ଖାଇ ଖୁସି ହୋଇଥାନ୍ତି l
ଋତୁଙ୍କର ଭିତରେ ସାର ଅଟଇ
ଋତୁରାଜ ଯେ ବସନ୍ତ
ସୁଗନ୍ଧ ମଳୟ ପବନ ବିତରି
ହରଣ କରଇ ଚିତ୍ତ l
ରାଧା କୃଷ୍ଣଙ୍କର ମିଳନର ପର୍ବ
ହୋଲିରେ ରଙ୍ଗ ଖେଳନ୍ତି
ପୃଥିବୀ ମାତା ଯେ ବିଭିନ୍ନ ରଙ୍ଗରେ
ରଙ୍ଗାୟିତ ହୋଇଥାନ୍ତି l
ଛଅ ଋତୁ ଙ୍କର ଭିନ୍ନ ଭିନ୍ନ ରୂପ
ଜଗତ କଲ୍ୟାଣ ପାଇଁ
ନିଜ ଜୀବନକୁ ଉତ୍ସର୍ଗ କରନ୍ତି
ଅନ୍ୟକୁ ଆନନ୍ଦ ଦେଇ.
