ନିଦ
ନିଦ
ଏଇ ଟିକେ ନିଶ୍ବାସ ମାରିବି ବୋଲି ଦୁଆର ଦେଲି ,
ଥକିଯାଇଥିଲି
ଦେ ,ଦେ ର କାନ ଫଟା ଅଦଉତି ଘେରରେ ।।
ହଁ ମାନିଲି ଯେ ମୁଁ ଈଶ୍ବର
ହେଲେ ମୋର ବି ତ ଖଣ୍ଡେ ମନ ଅଛି !
କିଏ ବୁଝିଲ କି ?
ମୁଁ ବି ଗପ ଶୁଣିବାକୁ, ଗେଲ୍ହା ହବାକୁ,
ସାଙ୍ଗରେ ଚାଲିବାକୁ ଭଲପାଏ !
କିଏ ଜଣେ ?
ହାତ ଟେକିବଟି ଯିଏ
ଥରୁଟେ ବି ମୋ ଠି ରୁଷିନି ?
ନିରୁତା ନିସର୍ତ୍ତ ଭଲ ପାଇଛି ?
ମୋର ବି ପାଦ ଥକେ,
ମୁଣ୍ଡ ବିନ୍ଧେ,
ମନ ଡାକେ ଆଉଁସି ଦିଅନ୍ତା
କଅଁଳ ପରଶଟେ ।
ତେବେ ମତେ କଣ ରୁଷିବା ମନା ?
ମନ ତିଆରିଥିବା ସ୍ରଷ୍ଟାର
ମନଟେ ନଥାନ୍ତା କି !
ଆଜି ଚର୍ଚ୍ଚ ଠୁ ଗୁରୁଦ୍ବାର
ମସଜିଦ ଠୁ ମନ୍ଦିର,
ସବୁରି ଦୁଆରେ ତାଲା ପକେଇ
ଭିତରେ ନିରନ୍ତର
ଅନନ୍ତ ଶୟନରେ ମୁଁ ।
ଜଗେଇଦେଇଛି ଦୁଆର
ଯୋଗ ମୟାକୁ,
ଛାଡିବନି ଭିତରକୁ
ଜେଲର୍ ପରି ଅଡି ବସି ।।
ଭିତରେ ମୁଁ ଟିକେ
ଶୋଇଛି
ଖୋଜୁଛ ଯଦି ଭିତରକୁ ଚାହାଁ ।।