ଭ୍ରମ
ଭ୍ରମ
ଏଇ ମ !
ଗଲା ସନ ନଭେମ୍ବରକୁ
ଦେଖିଆସିଥିଲି ସେଇ ନୀଳଭୂଖଣ୍ଡ ।।
ବୈଶାଖ ଛୁଁ ଛୁଁ
ଯୋଉଟା ଜଳୁଛି ଏବେ କାଗଜରେ, ଯନ୍ତ୍ରଣାରେ
ଯନ୍ତ୍ରବତ୍ ହୁତୁ ହୁତୁ ହେଇ
ଲୋଟକ୍ ସାରା ନିଆଁ ? କଣ ହେଲା ତାର ପଦ୍ମବନ ?
କେଉଁ ଦଶାରେ ସେ ପାର୍ବତ୍ୟ ଦମ୍ଭ ?
ମୁଁ ମଣିଷ,
ମାନବତାକୁ ଝିଞ୍ଜାରି ଦେଉଥିବା ସବୁ,
ମତେ ଝାଙ୍କିବା କଥା ହିଁ
ମତଲବ ନାହିଁ କେମିତି?
କେମିତି ଶୋଇପାରିବି ମେଲା ଆଖିରେ
ନାହିରେ ତେଲ ପକେଇ
ତରଳ ନିଦ ?
ମଣିଷ ନିଜ କାନ୍ଧରେ ଜୀବନ ବହେ,
ଅନ୍ୟ କାନ୍ଧର ରାହା ତ ମଶାଣିର ମୁଠାପାଉଁଶ ଯାଏ।
ଶହେଟା ବର୍ଷା, ଶୀତ,କାକର ଭୋଗିବାର ବି ଆୟୁଷ କାଇଁ ଯେ !
ମାଆ କାନ୍ଦୁଥିଲା,
ଗୁମୁରି ଗୁମୁରି
କୋହ ଫଟେଇ
ପରେ ପରେ ବନ୍ୟାର ତାଣ୍ଡବ
କି ପାହାଡ଼ ଖସେଇ......
ଢାଳିଦେଇ ଆଗେ ଆଗେ ଅନୁନୟ
ପରକୁ ଅଭିଶାପ।।
ମୁଁ କାଳେ ମଣିଷ
ଜଡ,ମୂଢ,ଅଥର୍ବ,ପାଣ୍ଡୁର ।।
ଆଉ କିଏ ଭୋଗିଗଲା ତ
ମୋ ପାଟଶାଢୀ ତ ଅକ୍ଷତ ଅଛି ନା,
"ନିଷ୍ଠର,ନିଷ୍ଠୁର "କହି ଆତ୍ମା ଧିକାରୁଛି କି ?
କାନରେ ତୁଳା ବିଣ୍ଡା ଭଲକି ଗେଞ୍ଜିଦେଲେ ଗଲା
" ସ୍ବାର୍ଥାନ୍ଧ" କହୁଛି କି ଚେତନା?
ହେ ! ତା କଥା କିଏ ଶୁଣୁଛି ଯେ !
ଆଜି ଭାରତର ଗହଣା ସାରା ଅଙ୍ଗାର ?
ନା ପ୍ରଘଟ ହେଲା ବୋଲି ବିଚାରକୁ ଗଣା ହେଉଛି?
ପ୍ରତି ଗଳି, ଘର କି କାନ୍ଥ ପଛରେ ପରା ଅଲିଖିତ ଲୁହଗପ ମାଳମାଳ ,
ତାଙ୍କ କଥା ପୁଣି କଣ ଭାବିଲ?
ନା ଭାଙ୍ଗିଦେଲ " ଅଦରକାରୀ "କହି !
ଅର୍ଜୁନ, ଉଲ୍ପୁପିଙ୍କ ପ୍ରଣୟ
ବବ୍ରୁବାହାନ ମାନଙ୍କ ପରିବାର
କଳଙ୍କିତ ହେଉଛି ତ ..... ତମେ କଜଳ ନାଇ
ଆଖି ପୋଡୁଛିର ବାହାନା ସଞ୍ଚ ମ ! ଆମର,
ମଞ୍ଚକୁ ଓହ୍ଲାଇବା କି ଲୋଡା!
ନାଟକ ବହି ତ ବହ୍ନିବଳୟେ ଧୁ ଧୁ
ଆଖି ଖୋଲୁଛି ଯଦି ଫିଟୁ " ମୋର କି ଯାଏ" ର ଜଞ୍ଜିର,
ନ ହେଲେ ଏ ଦହଦହ ଧାସ ସବୁ ଚାଟିଯିବ,
ଆଉ ଚମଡା ଥିବ ଯେ ତମେ ତିଆରିବ ପପେଟ....
ଆଉ ବେକ ଯାଏ ଗଳେଇ ଦେଇ
ଚିଲେଇବ " ମୁଁ ମଣିଷ, ମୁଁ ମଣିଷ"
ଈଶ୍ୱରଙ୍କୁ ଆଉ ଲାଜ ଦିଅନି,
ତାଙ୍କ ଭ୍ରମ ନ ଭାଙ୍ଗୁ ଯେ ତୁମେ କାଳେ
" ଶ୍ରେଷ୍ଠ ପ୍ରାଣୀ" ।